ଭୁବନେଶ୍ବର: କେନ୍ଦ୍ର ସରକାର ‘କାମ୍ପା’ ଯୋଜନାରେ ଓଡ଼ିଶାକୁ ସର୍ବାଧିକ ୫୯୩୩ କୋଟି ୯୮ ଲକ୍ଷ ଟଙ୍କା ଅନୁଦାନ ଦେଇଛନ୍ତି । ଗୁରୁବାର ନୂଆଦିଲ୍ଲୀରେ କେନ୍ଦ୍ର ଜଙ୍ଗଲ ମନ୍ତ୍ରୀ ଦେଶର ୨୭ଟି ରାଜ୍ୟକୁ ବନୀକରଣ ପାଇଁ ପ୍ରଦାନ କରିଛନ୍ତି ଅନୁଦାନ । କେନ୍ଦ୍ର ସରକାର କାମ୍ପା ଯୋଜନାରେ ମୋଟ ୪୭ ହଜାର ୪୩୬କୋଟି ଟଙ୍କା ଅନୁଦାନ ପ୍ରଦାନ କରିଛନ୍ତି ।
ଓଡ଼ିଶା ଗତ ୨ ବର୍ଷ ମଧ୍ୟରେ ୮୮୫ବର୍ଗ କିମି ଜଙ୍ଗଲ ଅଞ୍ଚଳ ବୃଦ୍ଧି କରିଥିବାରୁ କେନ୍ଦ୍ର ସରକାର ରାଜ୍ୟକୁ ପ୍ରଶଂସା କରିଛନ୍ତି । ଏହି ବୈଠକରେ ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଓ ସଚିବ ମୋନା ଶର୍ମା ଉପସ୍ଥିତ ଥିଲେ । ସୂଚନା ଅନୁଯାୟୀ, ୨୦୦୯-୧୦ ରୁ ୨୦୧୭-୧୮ ମଧ୍ୟରେ କାମ୍ପା ଯୋଜନାରେ ଓଡ଼ିଶାକୁ ମୋଟ ୨୬୪୪କୋଟି ଟଙ୍କା ମିଳିଛି । ଏଥିରୁ ୨୬୦୭କୋଟି ଟଙ୍କା ଖର୍ଚ୍ଚ କରିସାରିଛି ରାଜ୍ୟ ।
ଏହି ଯୋଜନାରେ ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ଓଡ଼ିଶାକୁ ଅଧିକ ପାଣ୍ଠି ଦିଆଯାଇଥିବାରୁ ବିଜେପି କେନ୍ଦ୍ର ସରକାରଙ୍କୁ ପ୍ରଶଂସା କରିଛି । ଅନୁଦାନ ଘୋଷଣା ଏବଂ ସଂପୂର୍ଣ୍ଣ ଅର୍ଥ ମିଳିବା ମଧ୍ୟରେ ପାର୍ଥକ୍ୟ ବୋଲି କହିଛନ୍ତି ବିଜେଡି ନେତା କଳିକେଶ ନାରାୟଣ ସିଂଦେଓ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ