ଭୁବନେଶ୍ବର: ପେଶାରେ ଜଣେ ବସ ଡ୍ରାଇଭର ହେଲେ ନିଶା ବଂଶୀ ବଜାଇବା । ଏକଲବ୍ୟ ଭଳି କାହା ଠାରୁ ବଂଶୀ ବାଦନ ଶିକ୍ଷା ଗ୍ରହଣ କରିନାହାନ୍ତି । କିନ୍ତୁ ବିଶିଷ୍ଟ ବଂଶୀବାଦକ ମୋହିନ ମୋହନ ପଟ୍ଟନାୟକଙ୍କୁ ଗୁରୁ ଭାବରେ ଗ୍ରହଣ କରିଛନ୍ତି । ନିଜ ସାଧନାରେ ନିମଗ୍ନ ମଣିଷଟି ହେଉଛନ୍ତି ସଞ୍ଜୟ କୁମାର ନାୟକ ।
ନୟାଗଡ ଜିଲ୍ଲା ନୂଆଗାଁରେ ତାଙ୍କର ଜନ୍ମ । ସେ ଏକ ଗରିବ ପରିବାରରୁ ଜନ୍ମଗ୍ରହଣ କରିଥିବାରୁ ପ୍ରତିକ୍ଷଣ ଅଭାବ ଅନଟନ ଦେଇ ଗତି କରୁଥିଲା ସଞ୍ଜୟଙ୍କ ପରିବାର । ଆଉ ଗରିବୀର ନିଆଁରେ ସମ୍ପୂର୍ଣ୍ଣ ଜଳିଯାଇଥିଲା ସଞ୍ଜୟଙ୍କ ପାଠପଢା । ୧୫ ବର୍ଷ ବୟସରୁ ଘରୁ ଲୁଚି ପଳାଇ ଆସିଥିଲେ ରାଜଧାନୀ ଭୁବନେଶ୍ବରକୁ । ସହର ବୁଲିବା ସହ ରାଜଧାନୀର ଏକ ପ୍ରମୁଖ ମଣ୍ଡପରେ ବଂଶୀ କାର୍ଯ୍ୟକ୍ରମ ଚାଲୁଥିବାବେଳେ ସଞ୍ଜୟ ପଡିଯାଇଥିଲେ ବଂଶୀବାଦକ ପ୍ରେମରେ । ଯାହା ତାଙ୍କର ଲକ୍ଷ୍ୟପଥକୁ ଆହୁରି ସୃଦୃଢ କରିବା ଦିଗରେ ଆଗେଇ ଆସିଥିଲା । ସେହି ସନ୍ଧ୍ୟାରେ ବଂଶୀବାଦକ ମୋହିନ ମୋହନ ପଟ୍ଟନାୟକଙ୍କ ପାଖରୁ କିଛି ରାଗ ଜାଣିଥିଲେ । ଯାହା ବିନା ଶିକ୍ଷାରେ ଆଜି ପର୍ଯ୍ୟନ୍ତ ବଜାଇ ଆସୁଛନ୍ତି ସଞ୍ଜୟ ।
ସେ ନିୟମିତ ଭାବରେ 'ମୋ ବସ'ର ଜଣେ ଦକ୍ଷ ଡ୍ରାଇଭର । ଦୀର୍ଘ ଦିନ ଧରି ସେ ଡ୍ରାଇଭର କାର୍ଯ୍ୟ କରିଆସୁଛନ୍ତି । ଦିନ ସାରା ଗାଡି ଚଳାନ୍ତି । ଆଉ ଟିକେ ସମୟ ପାଇଲେ ବଂଶୀ ବଜାଇବାରେ ଲାଗିପଡନ୍ତି । ସଞ୍ଜୟ ଜଣେ ନିଶାରେ ବଂଶୀବାଦକ ହେଲେ ପରିବାର ଜଞ୍ଜାଳ ଭିତରେ ଛନ୍ଦି ହୋଇ ଡ୍ରାଇଭିଂକୁ ନିଜ ପେଶାରେ ଆପଣାଇଛନ୍ତି । ବସ ଚଳାଇ ଯେତିକି ଟଙ୍କା ରୋଜଗାର କରନ୍ତି ସେଥିରୁ କିଛି ଟଙ୍କା ପରିବାରକୁ ଦେବା ପରେ ନିଜେ ଭୋକ ଉପାସରେ ରହି ବଂଶୀ କିଣିବା ଉଦ୍ଦେଶ୍ୟରେ ଟଙ୍କା ସଞ୍ଚୟ କରିଥାନ୍ତି । ସେ ୨୫ ହଜାର ଟଙ୍କା ଦେଇ ପ୍ରାୟ ୧୦ଟି ବଂଶୀ କିଣିଛନ୍ତି । ଆଉ ସେ ବଂଶୀ ବଜାଉଥିବାରୁ ବସରେ ଯାତ୍ରା କରୁଥିବା ଯାତ୍ରୀ ତାଙ୍କୁ ବଂଶୀ ଭାଇ ଡାକିଥାନ୍ତି । ଜଣେ ସଫଳ ବଂଶୀ ବାଦକ ହୋଇ ରାଜ୍ୟ ତଥା ଦେଶରେ ନାଁ କରିବେ ବୋଲି କୁହନ୍ତି ବଂଶୀବାଦକ ସଞ୍ଜୟ ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ