ଭୁବନେଶ୍ବର: ଓଡିଶାରେ ରାଜ୍ୟ ବିଜେପି(BJP) ପ୍ରଭାରୀ ଡି. ପୁରନ୍ଦେଶ୍ଵରୀ । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବ୍ରଜରାଜନଗର ଉପ-ନିର୍ବାଚନ ନେଇ ଚାଲିଛି ମାନସ ମନ୍ଥନ । ଉପ ନିର୍ବାଚନ ପାର୍ଥୀ ଚୂଡାନ୍ତ ନେଇ ଚାଲିଛି ବୈଠକ । ପ୍ରଭାରୀ ଡି. ପୁରନ୍ଦେଶ୍ଵରୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ହେଉଛି ।
ପ୍ରାର୍ଥୀ ଚୟନ ହେବାକୁ ଥିବାରୁ ବୈଠକରେ ରାଜ୍ୟ BJP ସଭାପତି ସମୀର ମହାନ୍ତିଙ୍କ ସମେତ ଏକାଧିକ ପ୍ରମୁଖ ନେତା ରହିଛନ୍ତି । ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର, ଲେଖାଶ୍ରୀ ସାମନ୍ତ ସିଂହାର, ସଂଗଠନ ସାଧାରଣ ସମ୍ପାଦକ ମାନସ ମହାନ୍ତି ସାଧାରଣ ସମ୍ପାଦକ ପୃଥୀରାଜ ହରିଚନ୍ଦନ ଓ ମନମୋହନ ସାମଲ ପ୍ରମୁଖ ଉପସ୍ଥିତ ରହିଛନ୍ତି । ଏହି ବୈଠକରେ ବ୍ରଜରାଜନଗର ଉପ-ନିର୍ବାଚନରେ ଦଳ କାହାକୁ ପ୍ରାର୍ଥୀ କରିବ ତାଙ୍କ ନାମ ଘୋଷଣା ହେବାର ସମ୍ଭାବନା ରହିଛି ।
ମେ ୩୧ ତାରିଖରେ ବ୍ରଜରାଜନଗର ଉପନିର୍ବାଚନ ପାଇଁ ପଡିବ ଭୋଟ । ଜୁନ ୩ ତାରିଖରେ ଭୋଟଗଣତି ହେବା ସହ ଫଳାଫଳ ପ୍ରକାଶ ପାଇବ । ମେ’ ୪ ତାରିଖ ଠାରୁ ୧୧ ତାରିଖ ମଧ୍ୟରେ ନାମାଙ୍କନପତ୍ର ଦାଖଲ କରିପାରିବେ ପ୍ରାର୍ଥୀ । ମେ ୧୬ ତାରିଖରେ ନାମାଙ୍କନପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି । ଏହି ଉପ-ନିର୍ବାଚନରେ ଇଭିଏମ ଓ ଭିଭିପାଟର ବ୍ୟବହାର ହେବ । କୋରୋନା କଟକଣା ଅନୁଯାୟୀ ନିର୍ବାଚନ ହେବ । ଯଦି କେହି ପ୍ରାର୍ଥୀ କୋରୋନା ଗାଇଡଲାଇନର ଉଲ୍ଲଂଘନ କରନ୍ତି ତେବେ ତାଙ୍କୁ ପ୍ରଚାର ପାଇଁ ଅନୁମତି ଦିଆଯିବ ନାହିଁ ।
ଦିବଙ୍ଗତ ବିଧାୟକ କିଶୋର ମହାନ୍ତିଙ୍କ ପରଲୋକ ପରେ ବ୍ରଜରାଜନଗର ଆସନ ଖାଲି ପଡିଛି । ତେଣୁ ଏହି ଆସନରେ ଉପ-ନିର୍ବାଚନ ହେବାକୁ ଯାଉଛି । ଉପନିର୍ବାଚନ ପାଇଁ ତାରଖ ଘୋଷଣା ପରେ ଏବେ ୩ ପ୍ରମୁଖ ରାଜନୈତିକ ଦଳ ଆସନ ହାତେଇବାକୁ କସରତ ଆରମ୍ଭ କଲେଣି । ତେବେ କେଉଁ ଦଳରୁ କିଏ ପ୍ରାର୍ଥୀ ହେଉଛି ତାହାରି ଉପରେ ରହିବ ସମସ୍ତଙ୍କର ନଜର ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ