ଭୁବନେଶ୍ବର: ବାଚସ୍ପତିଙ୍କ ଦ୍ୱାରା କବିତା ସଙ୍କଳନ ଉନ୍ମୋଚିତ । ଉଚ୍ଚକୋଟୀର ଲେଖା ହିଁ ଓଡ଼ିଆ ଭାଷା ସାହିତ୍ୟକୁ ସମୃଦ୍ଧ କରିବ ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି । ଆଜି (ମଙ୍ଗଳବାର) ସୂର୍ଯ୍ୟ ନାରାୟଣ ପାତ୍ର ବିଧାନସଭାସ୍ଥିତ କାର୍ଯ୍ୟାଳୟ ପ୍ରକୋଷ୍ଠରେ ରାଜ୍ୟର ଅନ୍ୟତମ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ କେନ୍ଦ୍ରାପଡ଼ାର ରାଜଶ୍ରୀ କଳା ଓ ସାହିତ୍ୟ ସଂସଦ ସୌଜନ୍ୟରେ ପ୍ରକାଶିତ ଚାରୋଟି କବିତା ସଂକଳନ ଏବଂ ଏକ କ୍ୟାସେଟ ଶୁଭ ଉନ୍ମୋଚନ କରିଛନ୍ତି ।
ସେହିପରି ଓଡ଼ିଶାର ବାଣୀଭଣ୍ଡାରକୁ ରୁଦ୍ଧିମନ୍ତ କରୁଥିବା ରାଜଶ୍ରୀ କଳା ଓ ସାହିତ୍ୟ ସଂସଦର ସଦସ୍ୟାମାନଙ୍କ ଉତ୍ସର୍ଗୀକୃତ ସାହିତ୍ୟ ସାଧନାକୁ ଭୂୟସୀ ପ୍ରଶଂସା କରିବା ସହିତ କବିମାନଙ୍କୁ ନିଜର ସୃଷ୍ଟି ସର୍ଜନା ଜାରି ରଖିବା ପାଇଁ ପରାମର୍ଶ ଦେଇଛନ୍ତି । ଏଥିସହ ସଂଗୀତ ଗୁରୁ ରାଜକିଶୋରଙ୍କ ନିର୍ଦ୍ଦେଶନା ଏବଂ ଦୁର୍ଗାଚରଣ ମିଶ୍ରଙ୍କ କଣ୍ଠରେ ଏହି କ୍ୟାସେଟ୍ ପ୍ରସ୍ତୁତ ହୋଇଛି । ଏହି ଅବସରରେ ବାଚସ୍ପତି ପାତ୍ରଙ୍କୁ ସଂସଦ ପକ୍ଷରୁ ଯୁଗପୁରୁଷ ଉପାଧିରେ ସମ୍ବର୍ଦ୍ଧିତ କରାଯାଇଥିଲା ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ