ଭୁବନେଶ୍ବର: ଆଜି ଠାରୁ ଭୁବନେଶ୍ବରରେ ଆରମ୍ଭ ହେଲା ଫାଇଲେରିଆ ଔଷଧ ବଣ୍ଟନ କାର୍ଯ୍ୟକ୍ରମ । ଚଳିତ ମାସ ୧୦ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୧୦ ଦିନ ଧରି ଚାଲିବ ଏହି କାର୍ଯ୍ୟକ୍ରମ।
ବୁଧବାର,ବିଡିଏ କାର୍ଯ୍ୟାଳୟରେ ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀଙ୍କ ଦ୍ବାରା ଆରମ୍ଭ ହେଲା କାର୍ଯ୍ୟକ୍ରମ। ଏଥିରେ ନିୟୋଜିତ ରହିବେ ୧୬୧୦ଜଣ ସ୍ବାସ୍ଥ୍ୟ ଆଡ଼ମିନିଷ୍ଟ୍ରେଟର ଓ ୧୬୧ ଜଣ ସୁପରଭାଇଜର । ଫାଇଲେରିଆ ନିରାକରଣରେ ସଫଳ ହେବା ନେଇ ଆଶା ରଖିଛି ବିଏମସି ।
ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଦିଆଯାଇଥିବା ଗାଇଡ଼ ଲାଇନ ଅନୁସାରେ ହେବ ସାମୁହିକ ଔଷଧ ବଣ୍ଟନ କାର୍ଯ୍ୟକ୍ରମ । 2ବର୍ଷରୁ ଊର୍ଦ୍ଧ୍ବ ବୟସର ବ୍ୟକ୍ତିଙ୍କୁ ଦିଆଯିବ ଔଷଧ। ଔଷଧ ସେବନରୁ ବାଦ ଦିଆଯିବ ଗର୍ଭବତୀ ମହିଳା, ଅସୁସ୍ଥ ଲୋକ। ରାଜ୍ୟର ୨୭ ଜିଲ୍ଲାରେ ପୂର୍ବରୁ ଫାଇଲେରିଆ ଥିଲା।
ଔଷଧ ସେବନ ପରେ ୧୦ଜିଲ୍ଲା ସମୂଳେ ଉତ୍ପାଟନ ହୋଇପାରିଛି। ବର୍ତ୍ତମାନ ବି ଖୋର୍ଦ୍ଧା ସମେତ ୧୭ ଜିଲ୍ଲାରେ ଫାଇଲେରିଆ ରୋଗ ଥିଲେ ହେଁ ନିୟନ୍ତ୍ରଣରେ ରହିଛି। ଭୁବନେଶ୍ୱରରେ ୮ ଲକ୍ଷ ୫୯ ,୦୦୦ ଲୋକଙ୍କୁ ଔଷଧ ବଣ୍ଟନ ହେବାର ଲକ୍ଷ୍ୟ ରଖାଯାଇଛି।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ