ଭୁବନେଶ୍ବର : ରାଜଧାନୀବାସୀଙ୍କ ପାଇଁ ଖୁସି ଖବର । ଏଣିକି ଗୋଟିଏ କ୍ଲିକ୍ରେ ହେବ ବିଏମସି କଲ୍ୟାଣମଣ୍ଡପ ବୁକିଂ । କୌଣସି ପାରିବାରିକ ବା ସାମାଜିକ ଉତ୍ସବ ଇତ୍ୟାଦି ନିମନ୍ତେ ଯଦି କେହି ଭୁବନେଶ୍ୱର ମହାନଗର ନିଗମ (BMC) ମାଲିକାନାରେ ଥିବା କଲ୍ୟାଣମଣ୍ଡପ ବୁକିଂ କରିବାକୁ ଚାହୁଁଛନ୍ତି । କେବଳ ଗୋଟିଏ କ୍ଲିକ୍ରେ ଏହି ବୁକିଂ ଏବେ କରି ହେବ । ଆଜିଠାରୁ ବିଏମସି କର୍ତ୍ତୃପକ୍ଷ ନିଜ ଅଧିନସ୍ଥ କଲ୍ୟାଣ ମଣ୍ଡପ ଗୁଡ଼ିକର ଅନ୍ଲାଇନ୍ ବୁକିଂ ଆରମ୍ଭ କରିଛନ୍ତି । ଏହା ଦ୍ୱାରା ନାଗରିକମାନ ସୁରୁଖୁରୁରେ ନିଜ ଘରେ ବସି ଭୁବନେଶ୍ୱର ଡ଼ଟ ମି ପୋର୍ଟାଲର ସିଟିଜେନ୍ ସର୍ଭିସ୍ରେ ଥିବା ପସନ୍ଦର ଚୟନ କରି ବୁକିଂ କରିପାରିବେ ।

ବର୍ତ୍ତମାନ ବିଏମସି ଅଧିନରେ ଯେଉଁସବୁ କଲ୍ୟାଣମଣ୍ଡପ ଗୁଡ଼ିକ ରହିଛି ସେଗୁଡ଼ିକ ହେଲା- ସହିଦନଗର (ଉପର ଏବଂ ତଳ ମହଲା), ଭିଏସଏସ ନଗର, ଚନ୍ଦ୍ରଶେଖରପୁର, ବଡ଼ଗଡ଼, ୟୁନିଟ୍-୮(କମ୍ୟୁନିଟି ସେଣ୍ଟର ), ଶାସ୍ତ୍ରୀନଗର, ବୁଦ୍ଧେଶ୍ୱରୀ କଲୋନୀ ଏବଂ ୟୁନିଟ୍-୬ । ଜଣେ ବ୍ୟକ୍ତି ଅନ୍ଲାଇନ୍ରେ ବିଏମସି କଲ୍ୟାଣମଣ୍ଡପ ବୁକିଂ କରିବାକୁ ଚାହୁଁଥିଲେ । ସେହି ସମୟରେ ମଣ୍ଡପ ଗୁଡ଼ିକର ବୁକିଂ ସ୍ଥିତି କିପରି ଅଛି ତାହା ମଧ୍ୟ ଜାଣି ହେବ ଅନଲାଇନରେ । ଭୁବନେଶ୍ୱର ଡ଼ଟ ମି ପୋର୍ଟାଲକୁ ଯାଇ ଉପଲବ୍ଧ ତାରିଖ ଗୁଡ଼ିକୁ ଚୟନ କରି ବୁକିଂ କରିପାରିବେ ।

ଅନ୍ଲାଇନ ଦେୟ ପ୍ରକ୍ରିୟା ମଧ୍ୟ କରାଯାଇପାରିବ । ଏହି ସ୍ୱୟଂଚାଳିତ ପ୍ରକ୍ରିୟା ମାଧ୍ୟମରେ ବୁକିଂକୁ ନିଶ୍ଚିତ କରାଯାଇ ପଞ୍ଜୀକୃତ ଇ-ମେଲ୍ ଏବଂ ମୋବାଇଲ୍ ନମ୍ବରରେ ବୁକିଂ ସାର୍ଟିଫିକେଟ୍ ମଧ୍ୟ ପାଇପାରିବେ । ବିଏମସି କମିଶନର ସଞ୍ଜୟ କୁମାର ସିଂହ କହିଛନ୍ତି ଯେ, “ଏହି ନୂଆ ପଦକ୍ଷେପ ଦ୍ୱାରା ବିଶେଷ କରି ବରିଷ୍ଠ ନାଗରିକମାନେ ନିଜ ସନ୍ତାନସନ୍ତତିଙ୍କ ବିବାହ ଇତ୍ୟାଦି କରାଇବାର ସ୍ଥାନକୁ ଘରେ ରହି ଯୋଗାଡ଼ କରିପାରିବେ । ଏବଂ ଅନ୍ୟାନ୍ୟ ସାମାଜିକ ଉତ୍ସବର ଆୟୋଜନ ସୁଲଭ ମୂଲ୍ୟରେ ପାଇପାରିବେ । ଏହି ଅନ୍ଲାଇନ ବୁକିଂ ଦ୍ୱାରା ସେବା ପ୍ରଦାନ ସୁଗମ ହେବ’’ ।
ସୂଚନାଯୋଗ୍ୟ କି, ଏହି ପଦକ୍ଷେପ ଦ୍ୱାରା ନାଗରିକମାନେ ଭୁବନେଶ୍ୱର ଡ଼ଟ ମି ପୋର୍ଟାଲର ଉପଯୋଗ କରି ବର୍ତ୍ତମାନ ଏକ ଶହରୁ ଅଧିକ ପ୍ରକାରର ସେବା ୧୬ ଗୋଟି ସରକାରୀ ସଂସ୍ଥାରୁ ପାଇପାରୁଛନ୍ତି । ଏଗୁଡ଼ିକ ମଧ୍ୟରେ ସର୍ବସାଧାରଣ ପରିବହନ ବ୍ୟବସ୍ଥା, ଅଧିକ ଶକ୍ତିସମ୍ପନ୍ନ ୱାଇଫାଇ ବ୍ୟବସ୍ଥା, ନାଗରିକ ସେବା, ସହରୀ ଉତ୍ସବ, ସହରାଞ୍ଚଳ ମାନଚିତ୍ର ଇତ୍ୟାଦିର ସୁଯୋଗ ନେଇପାରୁଛନ୍ତି । ବର୍ତ୍ତମାନ ସୁଧା ୪ ଲକ୍ଷରୁ ଅଧିକ ନାଗରିକ ଭୁବନେଶ୍ୱର ଡ଼ଟ୍ ମି ପୋର୍ଟାଲର ଉପଯୋଗ କରିସାରିଛନ୍ତି । ପୋର୍ଟାଲରେ ଥିବା ଡ଼୍ୟାସ୍ ବୋର୍ଡ଼ ମାଧ୍ୟମରେ ନାଗରିକ ମାନଙ୍କ ଆବଶ୍ୟକୀୟ ସେବା ସମ୍ପୃକ୍ତ ଅଫିସରମାନଙ୍କ ସ୍ତରରେ କେତେକାଂଶରେ ପହଞ୍ଚିଛି ତାହା ଚିହ୍ନିତ ହୋଇପାରୁଛି । ଚଳିତ ବର୍ଷ ବିଏସସିଏଲକୁ ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରାଳୟ ଦ୍ୱାରା ଆୟୋଜିତ ଇଣ୍ଡିଆ ସ୍ମାର୍ଟସିଟି ଆୱାର୍ଡ଼ ପ୍ରତିଯୋଗୀତା ୨୦୨୦ରେ ଭୁବନେଶ୍ୱର ଡ଼ଟ୍ ମି ପାଇଁ ସମ୍ମାନ ଜନକ ପୁରସ୍କାର ମିଳିଛି ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ , ଇଟିଭି ଭାରତ