ଭୁବନେଶ୍ବର: ଦ୍ବିତୀୟ ଲହର କୋପରେ ରାଜ୍ୟରେ ପୁଣି ସବୁରେ ତାଲା ପଡିଛି । ବଡ ବଡ ଦୋକାନ ମଲ ସବୁ ବନ୍ଦ ରହିଥିଲା । ବର୍ତ୍ତମାନ କିଛି ଦିନ ହେବ ଦୈନିକ ସଂକ୍ରମଣରେ ହ୍ରାସ ଘଟିଛି । ତେବେ ପୁଣି ଦୋକାନ କମ୍ପ୍ଲେକ୍ସ ଖୋଲିବା ନେଇ ସ୍ମାର୍ଟସିଟି ବାସିନ୍ଦାଙ୍କୁ ସ୍ପଷ୍ଟ କରିଛି ବିଏମସି ।
ସଂକ୍ରମଣ କମିଥିବାରୁ କିଛି ବ୍ୟବସାୟୀ ଆଗ ଭଳି ଦୋକାନ ବଜାର ଖୋଲିବାକୁ ଅନୁରୋଧ କରିଥିଲେ । ସେମାନଙ୍କ ଅନୁରୋଧକୁ ରଖି ଦୋକାନ ବଜାର ଖୋଲିବାକୁ ନିଷ୍ପତ୍ତି ନେଇଛି ବିଏମସି । ୨୫ ହଜାର ବର୍ଗଫୁଟ କମ ଆୟତନ ବିଶିଷ୍ଟ କମ୍ପ୍ଲେକ୍ସ ଖୋଲିବାକୁ ଅନୁମତି ମିଳିଛି । କମ୍ପ୍ଲେକ୍ସର ସବୁ ମହଲକୁ ମିଶାଇ ୨୫ ହଜାର ବର୍ଗଫୁଟ କମ ହେଲେ ତାହା ଖୋଲିପାରିବ ।
ଏକକାଳୀନ ସର୍ବାଧିକ ୨୫ ଜଣ ଗ୍ରାହକ ମଲକୁ ଯାଇପାରିବେ । ଏହା ସହ ସମସ୍ତଙ୍କ ମଧ୍ୟରେ ୬ ଫୁଟ ବ୍ୟବଧାନ ରହିବା ଜରୁରୀ ବୋଲି ଗାଇଡଲାଇନ ଜାରି କରିଛି ବିଏମସି । ସମସ୍ତ ଦୋକାନୀଙ୍କ କୋଭିଡ ନିୟମ ପାଳନ କରିବାରୁ କଡା ନିର୍ଦ୍ଦେଶ ହୋଇଛି । ନିୟମ ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ,ଇଟିଭି ଭାରତ