ଭୁବନେଶ୍ବର: କମିଶନରେଟ ପୋଲିସର ଅଜବ ନିୟମ । ଏଫଆଇଆର (FIR) କରିବାକୁ ମାଗୁଛି କାଷ୍ଟ ସାର୍ଟିଫିକେଟ । ତାହା ପୁଣି ଜଣେ ଦଳିତ ମହିଳାଙ୍କୁ । ପୋଲିସର ଏପରି ଅଜବ ନିୟମ ବିରୋଧରେ ତାତିଛନ୍ତି ଲୋକେ । ଆଉ ଘେରାଉ କରିଛନ୍ତି ଥାନା । କମିଶନରେଟ ପୋଲିସ ବିରୋଧରେ ଏପରି ଅଭିଯୋଗ ଆଣିଛନ୍ତି ଜଣେ ଦଳିତ ମହିଳା ବିଏମସି ସଫେଇ କର୍ମଚାରୀ ।
ମହିଳା ବିଏମସି ସଫେଇ କର୍ମଚାରୀ ନ୍ୟାୟ ପାଇଁ ଥାନାରେ ଦ୍ବାରସ୍ଥ ହୋଇଥିଲେ ମଧ୍ୟ ପୋଲିସ ନ୍ୟାୟ ଦେବା ପରିବର୍ତ୍ତେ କାଷ୍ଟ ସାର୍ଟିଫିକେଟ ମାଗିଥିଲେ । ଏହାପରେ ଅଭିଯୁକ୍ତର ଗିରଫ ଦାବି ଓ ପୋଲିସର ଅତ୍ୟାଚାର ପାଇଁ ଥାନା ଘେରାଉ କରିଛନ୍ତି ଅନେକ ସଫେଇ କର୍ମଚାରୀ । ସୂଚନା ମୁତାବକ ଅଭିଯୋଗକାରୀ ଦଳିତ ମହିଳା ବିଏମସି ସଫେଇ କର୍ମଚାରୀ ଭାବେ କାମ କରନ୍ତି । ଗତ ରବିବାର ରସୁଲଗଡ ଓ୍ବାର୍ଡ ନମ୍ବର ୩୦ରେ ସଫେଇ କରିବାକୁ ସକାଳୁ ଯାଇଥିଲେ । ଜଣେ ମହିଳା ଉପର ମହଲାରୁ ମହିଳା ସଫେଇ କର୍ମଚାରୀଙ୍କ ଉପରକୁ ଅଳିଆ ପକାଇଥିଲା ।
ଏହାର ପ୍ରତିବାଦ କରିବାରୁ ଗାଳି କରିବା ସହ ଛୋଟ ଜାତି କହି କିଛି ଲୋକ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି ମହିଳା ସଫେଇ କର୍ମଚାରୀ । ଏନେଇ ଥାନାରେ ଅଭିଯୋଗ କରିବାକୁ ଆସିଥିଲେ ଦଳିତ ମହିଳା ସଫେଇ କର୍ମଚାରୀ । ହେଲେ ପୋଲିସ ଶୁଣିନଥିବା ଅଭିଯୋଗ ହୋଇଛି । FIRକରିବା ପାଇଁ କାଷ୍ଟ ସାର୍ଟିଫିକେଟ ଆଣନ୍ତୁ ବୋଲି କହିଥିଲା । ଏହି ଘଟଣାକୁ ନେଇ ସଫେଇ କର୍ମଚାରୀର ସମସ୍ତ କର୍ମଚାରୀ ଆସି ଥାନା ସମ୍ମୁଖରେ ଧାରଣା ଦେଇଥିଲେ । ତେବେ ଏନେଇ ପୋଲିସ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛି ।
ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ