ଭୁବନେଶ୍ବର: ବିଏମସି କମିଶନର ୱାର୍ଡ ନଂ ୪୫ ପରିଦର୍ଶନ କରି ଉନ୍ନୟନ କାର୍ଯ୍ୟକୁ ତଦାରଖ କରିଛନ୍ତି । କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ ଗୁରୁବାର ବିଏମସି ଦକ୍ଷିଣ ପୂର୍ବ ମଣ୍ଡଳର ୪୫ ନମ୍ବର ୱାର୍ଡ ଅନ୍ତର୍ଗତ ଚିନ୍ତାମଣିଶ୍ବର ଓ ବରଗଡ ଅଞ୍ଚଳ ପରିଦର୍ଶନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଚୌଧୁରୀ ୱାର୍ଡର ସମସ୍ତ ଯୋଜନାମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ୱାର୍ଡର ଲୋକଙ୍କ ସହ ଆଲୋଚନା କରିଛନ୍ତି ।
![ସ୍ମାର୍ଟସିଟିରେ ବିଭିନ୍ନ ଉନ୍ନୟନ କାର୍ଯ୍ୟ ତଦାରଖ କଲେ କମିଶନର](https://etvbharatimages.akamaized.net/etvbharat/prod-images/10243645_749_10243645_1610636752252.png)
ପ୍ରଥମେ ଚୌଧୁରୀ ନିକଟସ୍ଥ ୱାର୍ଡର ଝାରପଡାସ୍ଥିତ ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର ଏମସିସି ପରିଚାଳନାର ସମୀକ୍ଷା କରିଥିଲେ । ଏହା ପରେ ସେ ବରଗଡ଼ ଶ୍ରୀଦେବୀ ଛକ ଠାରେ ୪୫ ନମ୍ବର ୱାର୍ଡର କାର୍ଯ୍ୟ ସମୀକ୍ଷା କରିଛନ୍ତି। ସହରୀ ମଜୁରୀ ରୋଜଗାର ଯୋଜନା ଅନ୍ତର୍ଗତ ସମସ୍ତ କାର୍ଯ୍ୟର ସମୀକ୍ଷା କରିବା ସହ ୱାର୍ଡର ସମସ୍ତ କଂଜରଭାନସି ଲେନ୍ ଗୁଡ଼ିକର ଉନ୍ନତିକରଣ, ବିଶ୍ବନାଥ ନଗର ଠାରେ ବରିଷ୍ଠ ନାଗରିକଙ୍କ ନିମନ୍ତେ କମ୍ୟୁନିଟି ସେଣ୍ଟର, ମୁଖ୍ୟ ଡ୍ରେନ ନଂ ୬ ଠାରେ ବକ୍ସ କଲଭର୍ଟ ନିର୍ମାଣ, ଖୋଲା ଡ୍ରେନ ନିମନ୍ତେ ସ୍ଲାବ କଭର, ଚମ୍ପପୋଖରୀ ସ୍କୁଲ ନିକଟସ୍ଥ ଡ୍ରେନର ଉନ୍ନତିକରଣ ଭଳି ବହୁ ପ୍ରତୀକ୍ଷିତ ଦାବି ପରିପୂରଣ ନିମନ୍ତେ ବିସ୍ତୃତ ଯୋଜନା କରିବା ସହ ଏହାର ତୁରନ୍ତ ରୂପାୟନ ନିମନ୍ତେ ଦକ୍ଷିଣ ପୂର୍ବ ମଣ୍ଡଳର ଡେପୁଟି କମିଶନର ଅଂଶୁମାନ ରଥଙ୍କୁ ନିର୍ଦ୍ଦଶ ଦେଇଛନ୍ତି ।
ଏହା ସହ ଏହି ଅଞ୍ଚଳର ପ୍ରମୁଖ ହାଟ ବରଗଡ଼ ହାଟର ଉନ୍ନତିକରଣ ଯଥା ହାଟର ୩ଟି ପ୍ରବେଶ ସ୍ଥାନରେ ଗେଟ ନିର୍ମାଣ, ହାଟ ଭିତରକୁ ଗାଈ ଓ ଷଣ୍ଢଙ୍କ ପ୍ରବେଶ ରୋକିବା ନିମନ୍ତେ ଗାର୍ଡ ନିର୍ମାଣ, ସନ୍ଧ୍ୟା ସମୟରେ ହାଟ ବ୍ୟବସାୟକୁ ବଢ଼ାଇବା ନିମନ୍ତେ ଆଲୋକ ବ୍ୟବସ୍ଥା ଓ ଗାଡି ପାର୍କିଂ ନିମନ୍ତେ ସ୍ୱତନ୍ତ୍ର ସ୍ଥାନ ଚିହ୍ନଟ କରାଯିବା ପାଇଁ ବିଏମସି ପକ୍ଷରୁ ଖୁବ ଶୀଘ୍ର କାର୍ଯ୍ୟ ଆରମ୍ଭ କରାଯିବ ବୋଲି କମିଶନର କହିଛନ୍ତି। ଆଜିର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଏମସି ଅତିରିକ୍ତ କମିଶନର ଅବନୀକାନ୍ତ ପଟ୍ଟନାୟକ, ସହକାରୀ କମିଶନର ଲିଲନ ପ୍ରସାଦ ସାହୁ, ନିର୍ବାହୀ ଯନ୍ତ୍ରୀ - ୨ ଅସୀମ ମିଶ୍ର, ନିର୍ବାହୀ ଯନ୍ତ୍ରୀ ଗୌତମ ଦାସ, ସହକାରୀ ନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ, ପରିମଳ ବିଶେଷଜ୍ଞ ପବିତ୍ର ମୋହନ ପଣ୍ଡା, ୱାର୍ଡ ପର୍ଯ୍ୟବେକ୍ଷକ କ୍ଷେତ୍ରମୋହନ ଦାସ, ମଣ୍ଡଳ ଗୋଷ୍ଠୀ ସଂଯୋଜକ ସଂଯୁକ୍ତା ପଣ୍ଡା, ୱାର୍ଡ ଅଧିକାରୀ ବିଜୟ ପ୍ରଧାନ, କୋଭିଡ଼ ସଚେତକ ବିନୋଦ ମାଝୀ, ଶକ୍ତି ପ୍ରସାଦ ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ