ଭୁବନେଶ୍ବର: ଏସଆଇଟି କରିବ ପରୀ ହତ୍ୟାକାଣ୍ଡ ଘଟଣାର ତଦନ୍ତ । ମୁଖ୍ୟମନ୍ତ୍ରୀ ତଦନ୍ତ ନିର୍ଦ୍ଦେଶ ଦେବା ପରେ ଏହାକୁ ନେଇ ରାଜନୀତି ତେଜିବାରେ ଲାଗିଛି । ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଲା ପରେ ମଧ୍ୟ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ । ଏହି ଘଟଣାରେ ସିବିଆଇ ତଦନ୍ତ ହେବା ସହ ମନ୍ତ୍ରୀ ମଣ୍ଡଳରୁ ଅରୁଣ ସାହୁଙ୍କୁ ବହିଷ୍କାର କରାଯାଉ ବୋଲି ଦାବି ପୁଣି ଦୋହରାଇଲେ ପ୍ରଦୀପ୍ତ ନାଏକ ।
ସେପଟେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ନେଇ ଅଭିଯୋଗ ଆଣିଛି ବିଜେପି । ଏସଆଇଟି ତଦନ୍ତ ନିର୍ଦ୍ଦେଶ ଅସ୍ପଷ୍ଟ ଥିବା କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ । ସେ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଏସଆଇଟି ନେଇ ନିର୍ଦ୍ଦେଶ ଅସ୍ପଷ୍ଟ । ଯଦି ଆବଶ୍ୟକ ହୁଏ ଏସଆଇଟି ତଦନ୍ତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିବା ସେ ଅଭିଯୋଗ କରିଛନ୍ତି। ଆମର ଦାବି ରହିଥିଲା କୃଷି ମନ୍ତ୍ରୀ ବହିଷ୍କାର ଓ ସିବିଆଇ ତଦନ୍ତ । ତେଣୁ ଆମେ ଏ ପ୍ରସଙ୍ଗରେ ବିରୋଧ ଜାରି ରଖିବୁ ବୋଲି କହିଛି ବିଜେପି।
ଅନ୍ୟପଟେ ଏସଆଇଟି ତଦନ୍ତ ପ୍ରସଙ୍ଗକୁ ନେଇ ପ୍ରତିକ୍ରିୟା ରଖିଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ଏନେଇ କଂଗ୍ରେସ ଦାବି କରିଥିଲା । କ୍ରାଇମବ୍ରାଞ୍ଚ ଉପରେ ଭରସା ନଥିବାରୁ ଏହି ଦାବି ହୋଇଥିଲା । ଜଣେ ହାଇକୋର୍ଟ ଜଜଙ୍କ ନେତୃତ୍ବରେ ଏସଆଇଟି ତଦନ୍ତ ହେଉ ବୋଲି କୁହାଯାଇଥିଲା । ବର୍ତ୍ତମାନ ଏସଆଇଟି ତଦନ୍ତ ଘୋଷଣା ହୋଇଥିବାରୁ ଆମେ ସନ୍ତୁଷ୍ଟ ବୋଲି କହିଲେ କଂଗ୍ରେସ ବିଧାୟକ ତାରା ବାହିନୀପତି ।
ସେପଟେ ଏ ପ୍ରସଙ୍ଗରେ ବିଜେଡି ମଧ୍ୟ ପ୍ରତିକ୍ରିୟା ରଖିଛି । ବିରୋଧୀ ଗୃହ ବିଭାଗର ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକୁ ବନ୍ଦ କରିବା ସହିତ ହଟ୍ଟଗୋଳ କରି ରାଜନୀତି କରୁଛନ୍ତି ବୋଲି ବିଜେଡି ବିଧାୟକ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି । ଅତନୁ ସବ୍ୟସାଚୀ ନାୟକ ନିଜ ପ୍ରତିକ୍ରିୟାରେ କହିଛନ୍ତି, ଘଟଣାକୁ ନେଇ ବିରୋଧୀ ରାଜନୀତି କରୁଛନ୍ତି । ଆଜି (ଶୁକ୍ରବାର) ଗୃହ ବିଭାଗର ଅତିରିକ୍ତ ବଜେଟ୍ ଉପରେ ଆଲୋଚନା ଥିଲା । ଗୃହ ବିଭାଗ ହେଉଛି ଅତି ଗୁରୁତ୍ବପୂର୍ଣ୍ଣ ବିଭାଗ । ଏହି ସମୟରେ ମଧ୍ୟ ବିରୋଧୀ ଅନେକ କଥା ଉଠାଇ ପାରିଥାନ୍ତେ । କିନ୍ତୁ ବିରୋଧୀ କେବଳ ହଟ୍ଟଗୋଳ କରି ଗୃହକୁ ବନ୍ଦ କରୁଛନ୍ତି ବୋଲି ସେ କହିଛନ୍ତି ।
ସୂଚନା ଅନୁଯାୟୀ, ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବିରେ ଆଜି ବିରୋଧି ଗୃହରେ ପ୍ରବଳ ହଟ୍ଟଗୋଳ କରିଥିଲେ । ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଘଟଣାର ତଦନ୍ତ ପାଇଁ ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ