ଭୁବନେଶ୍ବର: ପରୀ ଘଟଣାରେ ପୋଲିସ ଡିଜି ମିଛ କହୁଛନ୍ତି । କାହାକୁ ଘଣ୍ଟ ଘୋଡାଇବା ପାଇଁ ଏପରି କରାଯାଉଛି ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କରିଛନ୍ତି ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ।
ପରୀର ହତ୍ୟାକାଣ୍ଡ ଓଡିଶାର ଜନମାନସକୁ ବିଚଳିତ କରିଛି । ଯେହେତୁ ଜଣେ ମନ୍ତ୍ରୀଙ୍କ ସମ୍ପୃକ୍ତି ଖବର ଆସୁଥିଲା ସେଥିପାଇଁ ତଦନ୍ତ ରାଜ୍ୟ ପୋଲିସ ଦ୍ବାରା ସଠିକ ଢଙ୍ଗରେ ହୋଇ ନ ପାରିବା ଆଶଙ୍କା ନେଇ ଆମେ ସିବିଆଇ ତଦନ୍ତ କଥା କହିଥିଲୁ ବୋଲି ଲେଖାଶ୍ରୀ କହିଛନ୍ତି ।
ତେବେ ଏସଆଇଟି ତଦନ୍ତ କରୁଥିବାବେଳେ ଏବେ ଏସଆଇଟିର ମୁଖ୍ୟଙ୍କ ନାମରେ ମଧ୍ୟ ଅଭିଯୋଗ ଆସିଲାଣି । ଏସଆଇଟିର ମୁଖ୍ୟ ଜଣେ ଯୁବକକୁ ଦୋଷୀ ବୋଲି ସ୍ବୀକାର କରିବା ଲାଗି ଲାଞ୍ଚ ଦେବା ଓ ନାବାଳକ ଦର୍ଶାଇ ଦଣ୍ଡ କୋହଳ କରିବାର ପ୍ରଲୋଭନ ଦେଖାଇବାର ସଙ୍ଗୀନ ଅଭିଯୋଗ ଆସିଛି ବୋଲି କହିବା ସହ ଅରୁଣ ବୋଥ୍ରା ମଧ୍ୟ ଏବେ ଏକ ପକ୍ଷ ହୋଇଗଲେ ବୋଲି ସେ କହିଛନ୍ତି ।
ସେହିପରି ରାଜ୍ୟର ପୋଲିସ ଡିଜି ଗତକାଲି ଏସଆଇଟି ହାଇକୋର୍ଟ ମନିଟରରେ ବୋଲି ମିଛ କହି ଖସି ଯିବାକୁ ବସିଛନ୍ତି ତେଣୁ ସମସ୍ତଙ୍କୁ ପକ୍ଷଭୁକ୍ତ କରାଯାଉ । ଡିଜି ପୋଲିସ ଇସ୍ତଫା ଦିଅନ୍ତୁ ବୋଲି ସେ କହିଛନ୍ତି। ସେହିପରି ଯଦି ପୋଲିସ ପ୍ରଶାସନ କିଛି କରି ପାରୁନି ଏସଆଇଟି 10 ଦିନ ଭିତରେ ପ୍ରମାଣ ସାମ୍ନାକୁ ଆଣିଦେଉଛି । ନୟାଗଡ ପୋଲିସକୁ କିଏ ସୁରକ୍ଷା ଦେଉଥିଲା । ଏ ସବୁ ଘଟଣା ମଧ୍ୟରେ ସିଧାସଳଖ ବିଜୁ ଜନତା ଦଳ ହିଁ ଆସୁଛି । ଏହି ଘଟଣାରେ ଅଙ୍ଗ ତସ୍କରୀ ଓ ଛୁଆ ଚୋରି ରାକେଟ ରହିଥିବାରୁ ଘଟଣାକୁ ଚାପି ଦେବାକୁ ବିଭିନ୍ନ ଉଦ୍ୟମ କରାଯାଉଛି ବୋଲି ସେ କହିଛନ୍ତି ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ