ଭୁବନେଶ୍ବର: ବିଜେପିର କାର୍ଯ୍ୟକାରିଣୀ ବୈଠକକୁ ନେଇ କଡା ସମାଲୋଚନା କରିଛନ୍ତି ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ । ଆଜି ବିଜେପି ରାଜ୍ୟ ସରକାରଙ୍କ ଦୋଷ ଦୁର୍ବଳତାକୁ ନେଇ ଚିଠା ପ୍ରସ୍ତାବ ଆଗତ କରିଛି ବିଜେପି । ବିଜେପି କେବଳ ସରକାରଙ୍କ ଦୁର୍ବଳତା ଖୋଜେ, ଲୋକଙ୍କ ସମସ୍ୟା ନୁହେଁ ବୋଲି ପ୍ରମିଳା କହିଛନ୍ତି ।
ଆଜି ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ରାଜ୍ୟ ସରକାରଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଛି । ଏହାକୁ ଲୋକଙ୍କ ପାଖକୁ ନେବା ପାଇଁ ରୋଡମ୍ୟାପ ପ୍ରସ୍ତୁତ କରିଛି ବିଜେପି । ଏହାକୁ ନେଇ ବିଜେଡି ନେତ୍ରୀ ତଥା ବିଧାୟିକା ପ୍ରମିଳା ମଲ୍ଲିକ କହିଛନ୍ତି, ବିଜେପି ସବୁବେଳେ ସଜବାଜ ହୁଏ । ଆଗରୁ ହେଉଥିଲା, ଏବେ ପୁଣି ହେଉଛି । ହେଲେ ତାଙ୍କ ସଜବାଜ ଲୋକେ ଦେଖନ୍ତି ନାହିଁ । ରାଜ୍ୟ ବିଜେପି ଓଡ଼ିଶା ସରକାରଙ୍କ ଦୋଷ ଦୁର୍ବଳତା କଣ ଆଲୋଚନା କରିବେ । କେନ୍ଦ୍ର ସରକାରଙ୍କର ଦୋଷ ଦୁର୍ବଳତା ପ୍ରଥମେ ଆଲୋଚନା କରନ୍ତୁ ବୋଲି ପ୍ରମିଳା ପରାମର୍ଶ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିବାରୁ ସେ ବାଧ୍ୟ ହୋଇ ଟୀକା ଦେଲେ । ପ୍ରଧାନମନ୍ତ୍ରୀ ଆନ୍ତରିକତାର ସହ ଟୀକା ଦେଇନାହାନ୍ତି । ଆଉ ଏବେ ବିଜେପିର ସଜବାଜ ରାଜ୍ୟ ସରକାର, ବିଜେଡି ଓ ରାଜ୍ୟ ଉପରେ କୌଣସି ପ୍ରଭାବ ପଡିବ ନାହିଁ । ପୂର୍ବରୁ ଆମେ ପାର୍ଲାମେଣ୍ଟ, ପଶ୍ଚିମବଙ୍ଗ ନିର୍ବାଚନରେ ତାଙ୍କ ପ୍ରଭାବ ଦେଖିଛୁ । ଆଗକୁ ମଧ୍ୟ ଦେଖିବୁ ବୋଲି ପ୍ରମିଳା କଟାକ୍ଷ କରିଛନ୍ତି ।
ବିଜେପି ରାଜ୍ୟର ଲୋକଙ୍କ ସ୍ଵାର୍ଥ କେବେ ଦେଖୁନାହାନ୍ତି । ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ, ଖାଇବା ତେଲ ଦର ହୁ ହୁ ହୋଇ ବଢ଼ିଚାଲିଛି । ସେକଥା ବିଜେପି କାହିଁକି କହୁନି ବୋଲି ପ୍ରମିଳା କହିଛନ୍ତି । ସେମାନେ କେବଳ ରାଜ୍ୟ ସରକାରଙ୍କ ଦୁର୍ବଳତା ଖୋଜିବେ । କିନ୍ତୁ ଲୋକଙ୍କ ସମସ୍ୟା କଥା ବୁଝିବେ ନାହିଁ ପ୍ରମିଳା ବିଜେପିକୁ ଟାର୍ଗେଟ କରିଛନ୍ତି ।
ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ