ଭୁବନେଶ୍ବର: ଆସନ୍ତାକାଲି (ଗୁରୁବାର) ପ୍ରକାଶ ପାଇବ ବିଜେପିର ପଞ୍ଚାୟତ ନିର୍ବାଚନ ଇସ୍ତାହାର । ଇସ୍ତାହାରରେ ପ୍ରମୁଖ ପ୍ରସଙ୍ଗ ରହିବ ପଞ୍ଚାୟତିରାଜ ବ୍ୟବସ୍ଥାରେ ଭ୍ରଷ୍ଟାଚାର ମୁକ୍ତ ଶାସନ ବ୍ୟବସ୍ଥା । ବିକାଶକୁ ନେଇ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ଯାହା ଆବଶ୍ୟକତା ଅଛି ସେହିଭଳି ପ୍ରମୁଖ ପ୍ରସଙ୍ଗକୁ ନେଇ ପ୍ରସ୍ତୁତ ହୋଇଛି ଇସ୍ତାହାର ।
ଏହି ଇସ୍ତାହାର ଆମର ଜିତିବା ପାଇଁ ସମସ୍ତ ପ୍ରାର୍ଥୀଙ୍କ ପାଇଁ ଏକ ମାର୍ଗଦର୍ଶିକା ହେବ । ବିଜେପି ଯାହା କୁହେ ତାହା କରେ, ଇସ୍ତାହାରରେ ଯେଉଁ ପ୍ରତିଶ୍ରୁତି ଦେଉଛି ତାକୁ ଆଗକୁ ନେଇ ଆମେ କାର୍ଯ୍ୟ କରିବୁ । ସେହିଭଳି ପଞ୍ଚାୟତିରାଜ ବ୍ୟବସ୍ଥାକୁ ନେଇ ଲୋକଙ୍କ ନିକଟରେ ଅନେକ ଅଭିଯୋଗ ରହିଥିବା କହିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ।
ସେ ଆହୁରି କହିଛନ୍ତି ରାସ୍ତା କାମରେ ଦୁର୍ନୀତି, ମନରେଗାରେ ଦୁର୍ନୀତି, ଟେଣ୍ଡର ପ୍ରକ୍ରିୟାକୁ ବନ୍ଦ କରି ବିଜେଡି ଲୋକଙ୍କୁ ଟେଣ୍ଡର କାମ ଦିଆଯାଉଛି । ସେହିଭଳି ଭତ୍ତାରେ ବ୍ୟାପକ ଅନିୟମିତତା, ପ୍ରଧାନମନ୍ତ୍ରୀ ଆବସ ଯୋଜନା ଯୋଗ୍ୟ ଲୋକଙ୍କୁ ମିଳୁନି ଏହି ସବୁକୁ ନେଇ ଲୋକଙ୍କ ମଧ୍ୟରେ ଭୟଙ୍କର ଜନ ଆକ୍ରୋଶ ରହିଛି । ଏହିଭଳି ସମସ୍ତ ଅଭିଯୋଗ ବିଜେପି ଲୋକଙ୍କ ପାଖରୁ ଗ୍ରହଣ କରିବ ।
ଅଭିଯୋଗକୁ ନେଇ ଜିତିଥିବା ସମସ୍ତ ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟ ଆଗକୁ ନେଇକି ଯିବେ ଆଉ ବିକାଶକୁ ଲୋକଙ୍କ ନିକଟରେ ପହଞ୍ଚାଇବେ । ଜନ ସମ୍ପର୍କ ବିଜେପିର ପ୍ରମୁଖ ରଣନୀତି । ସରକାରଙ୍କ ଲମ୍ବା ସମୟର ବିଫଳତା ସହ ପଞ୍ଚାୟତିରାଜ ବ୍ୟବସ୍ଥାରେ ବ୍ୟାପକ ଦୁର୍ନୀତିକୁ ନେଇ ଆମେ ଲୋକଙ୍କ ନିକଟକୁ ଯିବୁ ବୋଲି ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ