ଭୁବନେଶ୍ବର: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ବିଜେପି ରାଜ୍ୟ ପ୍ରଭାରୀ ସୁନୀଲ ବଂଶଲ (BJP Leader Sunil Bansal to visit Odisha)। ଏହାକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ । ଦୁଇ ଦିନ ଧରି ରାଜ୍ୟରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ସୁନୀଲ ବଂଶଲ ।
ଅଗଷ୍ଟ ୪ ତାରିଖ ଅପରାହ୍ନ ୧ଟା ବେଳେ ଭୁବନେଶ୍ବରରେ ପହଞ୍ଚିବେ ଓଡ଼ିଶା ପ୍ରଭାରୀ ସୁନୀଲ ବଂଶଲ । ସେ ଓଡ଼ିଶାର ଦାୟିତ୍ବ ନେବାପରେ ଏହା ରାଜ୍ୟରେ ସୁନୀଲ ବଂଶଲଙ୍କ ପ୍ରଥମ କାର୍ଯ୍ୟକ୍ରମ । ସୁନୀଲ ବଂଶଲଙ୍କ ସ୍ବାଗତ ପାଇଁ ବ୍ୟାପକ ଆୟୋଜନ କରାଯାଇଛି । ଭୁବନେଶ୍ବର ବିମାନ ବନ୍ଦରରେ ସେ ପହଞ୍ଚିବା ପରେ ଶତାଧିକ ବିଜେପି କର୍ମୀ ତାଙ୍କୁ ସ୍ବାଗତ କରିବେ ।
ସୋମବାର ପହଞ୍ଚିବା ପରେ ସେ ଦଳର ବିଧାୟକ, ସାଂସଦ ଓ ଦଳର ବିଭିନ୍ନ ମୋର୍ଚ୍ଚା ପଦାଧିକାରୀଙ୍କ ସହ ପୃଥକ ପୃଥକ ଭାବରେ ଆଲୋଚନା କରିବେ । ଆଗକୁ ୨୦୨୪ ନିର୍ବାଚନ ଆସୁଥିବାରୁ ଦଳର ରଣନୀତି ଉପରେ ଆଲୋଚନା ହେବା ନେଇ ସୂଚନା ପ୍ରଦାନ କରିଛନ୍ତି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ।
ଏହାକୁ ନେଇ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, "ସୁନୀଲ ବଂଶଲ ଓଡ଼ିଶା ଗସ୍ତ କରି ବିଭିନ୍ନ ପର୍ଯ୍ୟାୟରେ ରାଜ୍ୟର ସଭାପତି ରାଜ୍ୟର ପଦାଧିକାରୀଙ୍କ ସହ ଓ ଜିଲ୍ଲାର ପଦାଧିକାରୀଙ୍କୁ ଭେଟି ଆଲୋଚନା କରିବେ । ପ୍ରଥମ ଥର ଓଡ଼ିଶାଗସ୍ତରେ ନିର୍ବାଚନ ରଣନୀତି ପ୍ରସ୍ତୁତ କରିବେ, କିଭଳି ପ୍ରସ୍ତୁତି ରହିବ ତାହା ବୁଝାଇବେ । ଆଗାମୀ ନିର୍ବାଚନକୁ ଦୃଷ୍ଟି ରଖି ପାର୍ଟିକୁ ପୂରା ପ୍ରସ୍ତୁତ କରାଯିବ । ନିର୍ବାଚନ ପାଇଁ ଯୋଜନା କେନ୍ଦ୍ରୀୟ ନେତୃତ୍ବ ନିଷ୍ପତ୍ତି ନେବ । ତାହା କିଭଳି ପରିସ୍ଫୁଟିତ ହେବ ତାହା ରାଜ୍ୟ ନେତୃବୃନ୍ଦଙ୍କ ଦାୟିତ୍ବ ରହିବ । ସୁନୀଲ ବଂଶଲଙ୍କ ନେତୃତ୍ବରେ ରାଜ୍ୟ ବିଜେପି ନିଶ୍ଚିତ ଭାବରେ ଭଲ ପ୍ରଦର୍ଶନ କରିବ ।"