ଭୁବନେଶ୍ବର: ପଞ୍ଚାୟତ ଓ ପୌର ନିର୍ବାଚନରେ ପଛୁଆବର୍ଗଙ୍କୁ ୪୦ ପ୍ରତିଶତ ସଂରକ୍ଷଣ ଦେବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ସର୍ବସମ୍ମତ କ୍ରମେ ପ୍ରସ୍ତାବ ସପକ୍ଷରେ ମତ ପ୍ରକାଶ ପାଇବାପରେ ଏହି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ମଧ୍ୟ ପ୍ରଦେଶରେ ଓବିସିଙ୍କୁ ସଂରକ୍ଷଣ ଦିଆଯାଉଛି । ତେବେ ଓଡ଼ିଶାରେ କାହିଁକି ଦିଆଯାଇ ପାରିବ ନାହିଁ ବୋଲି କହିଛି ବିଜେଡି ।
ସେପଟେ ସଂରକ୍ଷଣ ନେଇ ଘୋଷଣା ପରେ ପ୍ରତିକ୍ରିୟା ଦେଇଛି କଂଗ୍ରେସ । ଦଳ ଚାଷୀ ଓ ବିପିଏଲ କାର୍ଡଧାରୀ ପଛୁଆ ବର୍ଗଙ୍କୁ ୪୦ ପ୍ରତିଶତ ସଂରକ୍ଷଣ ଦେବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି । ସୁପ୍ରିମକୋର୍ଟଙ୍କ ରାୟ ପରେ ସାରା ଦେଶରେ ପଞ୍ଚାୟତିରାଜ ଓ ପୌରପାଳିକା ନିର୍ବାଚନରୁ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ଉଠାଇ ଦିଆଯାଇଛି । ଏହି ଜାତୀୟ ପ୍ରସଙ୍ଗ ଉପରେ ପଛୁଆବର୍ଗଙ୍କୁ ଉପଯୁକ୍ତ ନ୍ୟାୟ ଦେବାପାଇଁ ବିଜୁ ଜନତା ଦଳ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛି। ତେଣୁ ସଂରକ୍ଷଣକୁ ନେଇ ଏଭଳି ନିଷ୍ପତ୍ତି ନିଆଯାଇଛି ।
ସଂରକ୍ଷଣ ବ୍ୟବସ୍ଥା ପ୍ରଥମେ କଂଗ୍ରେସ ଆରମ୍ଭ କରିଥିଲା ବୋଲି ଓଡ଼ିଶା କଂଗ୍ରେସ ପ୍ରଭାରୀ ଏ. ଚେଲ୍ଲାକୁମାର କହିଛନ୍ତି । ସୁପ୍ରିମକୋର୍ଟ ଏହାକୁ ପ୍ରତ୍ୟାହାର ପାଇଁ କହିଥିବାବେଳେ ବିଜେପି ଓ ବିଜେଡି ମିଶି ଲୋକଙ୍କୁ ଭୁଆଁ ବୁଲାଉଥିବା ରାଜ୍ୟ କଂଗ୍ରେସ ପ୍ରଭାରୀ ଅଭିଯୋଗ କରିଛନ୍ତି । କେନ୍ଦ୍ରର ସବୁ ନିଷ୍ପତ୍ତିକୁ ବିଜେଡି ସମର୍ଥନ କରୁଛି । ତେଣୁ ବିଜେପି ଦ୍ୱାରା ନିଆଯାଇଥିବା ଏହି ନିଷ୍ପତ୍ତିକୁ ନେଇ ଓଡିଶା ଲୋକଙ୍କ ସହ ଶାସକ ଦଳ ଭୋଟ ରାଜନୀତି କରୁଥିବା କଥା କହିଛନ୍ତି ରାଜ୍ୟ କଂଗ୍ରେସ ପ୍ରଭାରୀ ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିିଭି ଭାରତ