ଭୁବନେଶ୍ବର: ଗୋପାଳପୁର ବିଧାୟକ ବିଜେଡିରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି । ଆଇଏଫଏସ ଅଧିକାରୀ ଅଭୟ ପାଠକଙ୍କ ସହ ଲିଙ୍କ ମାମଲା ସାମନାକୁ ଆସିବା ପରେ ବିଜେଡିରୁ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଦଳରୁ ବହିଷ୍କାର କରାଯାଇଛି ।
ବିଜେଡିରୁ ବହିଷ୍କାର ପରେ ପ୍ରଦୀପ ପାଣିଗ୍ରାହୀ କହିଛନ୍ତି ସେ କୌଣସି ପ୍ରକାରର ଜନବିରୋଧୀ କାମ କରିନାହାଁନ୍ତି । ଏହା ଉପରେ ପାର୍ଟି ସ୍ପଷ୍ଟୀକରଣ ଦେଉ ବୋଲି କହିଛନ୍ତି । ସେ କେଉଁ ଜନ ବିରୋଧୀ କାର୍ଯ୍ୟ କରିଛନ୍ତି । ତା’ସହିତ ସେ କ’ଣ ଜନ ବିରୋଧୀ କାର୍ଯ୍ୟ କରିଛନ୍ତି, ସାମ୍ବାଦିକମାନେ ଖୋଜି ବାହାର କରନ୍ତୁ ବୋଲି ବିଧାୟକ କହିଛନ୍ତି । ଜନବିରୋଧୀ କାର୍ଯ୍ୟ ଦର୍ଶାଇ ତାଙ୍କୁ ଦଳରୁ ବହିଷ୍କୃତ କରାଯାଇଛି । ବିଜେଡିରୁ ବହିଷ୍କାର କରାଗଲା ପରେ ବିଧାୟକଙ୍କ ଘର ଆଗରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ଏବଂ ଘର ଆଗରେ ପୋଲିସ ମୁତୟନ କରାଯାଇଛି ।
ସେହିପରି ବିଧାୟକଙ୍କୁ ବିଜେଡିରୁ ବହିଷ୍କାରକୁ ନେଇ ପତ୍ନୀ ସୁଜାତା ପାଣିଗ୍ରାହୀ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ପୂର୍ବରୁ ଦୀର୍ଘ 20 ବର୍ଷ ବିଜେଡି ପାଇଁ କାର୍ଯ୍ୟ କରିବା ସମୟରେ କୌଣସି ଜନବିରୋଧୀ କାର୍ଯ୍ୟ କରିନାହିଁନ୍ତି । ଏବେ ରାଜ୍ୟ ସରକାରଙ୍କୁ ଜନବିରୋଧୀ କାର୍ଯ୍ୟ କିଭଳି ଦେଖାଗଲା ବୋଲି ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଏବଂ ଜବାବ ମାଗିଛନ୍ତି । ଯେଉଁ ଜନ ବିରୋଧୀ କାର୍ଯ୍ୟ ପାଇଁ ସରକାର ବହିଷ୍କୃତ କରିଛନ୍ତି ତାହାର ବିବରଣୀ ପ୍ରଦାନ କରନ୍ତୁ ବୋଲି କହିଛନ୍ତି । ଗଞ୍ଜାମବାସୀ ସମସ୍ତ ବିଷୟରେ ଅବଗତ ଅଛନ୍ତି । ସମସ୍ତ ସତ୍ୟ ସାମନାକୁ ଆସିବ । ଦୀର୍ଘ 20 ବର୍ଷ ମୁଖ୍ୟମନ୍ତ୍ରଙ୍କ ସହିତ କାର୍ଯ୍ୟ କରିଛନ୍ତି ତିନି ଥର ବିଧାୟକ ଏବଂ 3 ବର୍ଷ ମନ୍ତ୍ରୀମଣ୍ଡଳରେ ମଧ୍ୟ ସାମିଲ ହୋଇଛନ୍ତି ।
ସୂଚନା ଥାଉକି ଅଇଏଫଏସ ଅଫିସର ଅଭୟ କାନ୍ତ ପାଠକ ଓ ତାଙ୍କ ପୁଅ ବିକାଶ ପାଠକ ଭିଜିଲାନ୍ସ ରେଡ ପରେ ସମସ୍ତ ଗୁମର ଖୋଲିଥିଲା । ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହ ତାଙ୍କର ଲିଙ୍କକୁ ନେଇ ରାଜ୍ୟ ସରକାର ପଦାକୁ ଆଣିଥିଲା । ଡ. ପ୍ରଦୀପ ପାଣିଗ୍ରାହୀ ଗଞ୍ଜାମ ଜିଲ୍ଲା ଗୋପାଳପୁର ଆସନରୁ 3ଥର ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ । 2009,2014 ଓ 2019 ବିଜେଡି ଟିକେଟରେ ନିର୍ବାଚିତ ହୋଇଥିଲେ ଏବଂ ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗରେ ମନ୍ତ୍ରୀପଦ ଦାୟିତ୍ବ ଗ୍ରହଣ କରିଥିଲେ ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ