ଭୁବନେଶ୍ବର: ପିପିଲିରୁ ୫୦ ଲକ୍ଷ ଟଙ୍କା ଜବତ ଘଟଣାରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେଡି । ଦଳର 4 ଜଣିଆ ପ୍ରତିନିଧି ମଣ୍ଡଳୀ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଥିବା ସୂଚନା ରହିଛି । ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର, ଦଳୀୟ ମୁଖପାତ୍ର ଲେଲିନ ମହାନ୍ତି, ଶ୍ରୀମୟୀ ମିଶ୍ର, ସୁଲତା ଦେଓ ପ୍ରମୁଖଙ୍କୁ ନେଇ ଗଠିତ ଏକ ପ୍ରତିନିଧି ଦଳ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛନ୍ତି ।
ପିପିଲି ନିର୍ବାଚନ ଯେତେ ପାଖଉଛି ନିର୍ବାଚନୀ ଉଷ୍ମତା ସେତେ ବଢ଼ୁଛି । ପିପିଲି ତାରାକାଜ ଛକରେ ଆଜି ୫୦ ଲକ୍ଷ ଟଙ୍କା ଜବତ ହୋଇଛି । ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରିବା ସହ ଏକ ପଲସର ଗାଡି ଜବତ କରିଛି ପିପିଲି ପୋଲିସ । ତେବେ ପିପିଲିରେ ଜବତ ହୋଇଥିବା 50 ଲକ୍ଷ ଟଙ୍କା ଭାରତୀୟ ଜନତା ପାର୍ଟିର ଓ ଗିରଫ ହୋଇଥିବା 2 ଯୁବକ ବିଜେପିର କର୍ମୀ ବୋଲି ଅଭିଯୋଗ କରିଛି ବିଜେଡି । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଏ ସମ୍ପର୍କରେ ଅବଗତ କରାଇବା ସହ ପିପିଲିରେ ପୋଲିସ ସୁରକ୍ଷା ବଳୟ ବୃଦ୍ଧି କରିବା ପାଇଁ ନିବେଦନ କରିଛି ଦଳ । ପୂର୍ବରୁ ମଧ୍ୟ ପିପିଲିରେ ପୋଲିସ ପାଟ୍ରୋଲିଂ କଡାକଡ଼ି କରିବାକୁ ଦାବି କରି ସାରିଛି ବିଜେଡି ପ୍ରତିନିଧି ଦଳ ।
ପୂର୍ବରୁ ଅନେକ ନିର୍ବାଚନରେ ବିଜେପିର ଏଭଳି ଆଚରଣ ଦେଖାଯାଇଛି ବୋଲି ବିଜେଡି ଅଭିଯୋଗ କରିବା ସହ ଉପନିର୍ବାଚନରେ ଟଙ୍କା କାରବାରକୁ ବିଜେଡି ନିନ୍ଦା କରିଛି । ଅଭିଯୁକ୍ତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛି ଦଳ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ