ଭୁବନେଶ୍ବର: ଚଳିତ ବର୍ଷ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପାଇବେ ପାରା ଆଥଲେଟ୍ ଜୟନ୍ତୀ ବେହେରା । କ୍ରୀଡା ବିଭାଗ ପକ୍ଷରୁ ଆସନ୍ତା ୨୯ ତାରିଖରେ ଜାତୀୟ କ୍ରୀଡା ଦିବସ ଅବସରରେ ଦିଆଯିବ ପୁରସ୍କାର । ୨୦୧୯ ବର୍ଷ ପାଇଁ ଶ୍ରେଷ୍ଠ ପ୍ରଦର୍ଶନ ଦୃଷ୍ଟିରୁ ପାଇବେ ଏହି ପୁରସ୍କାର । ଏନେଇ ସୂଚନା ଦେଇଛନ୍ତି କ୍ରୀଡ଼ା ଓ ଯୁବ ବ୍ୟାପାର ସଚିବ ବିଶାଳ ଦେବ ।
ଦେଶର ଶ୍ରେଷ୍ଠ ଦଶ ଜଣ ପାରା-ଆଥଲେଟସ୍ ଭାବେ ଓଡିଶାର ପୁରୀ ଜିଲ୍ଲା ସତ୍ୟବାଦୀର ଦୌଡରାଣୀ ଜୟନ୍ତୀ ବେହେରା ଚୟନ କମିଟି ଦ୍ୱାରା ମନୋନୀତ ହୋଇଛନ୍ତି । ଓଡିଶାର ପ୍ରଥମ ପାରା-ଆଥଲେଟ ଭାବେ ମଧ୍ୟ ଜଣାଶୁଣା ଜୟନ୍ତୀ । ତେବେ ଏଯାବତ ୧୨ଟି ଜାତୀୟ ଓ ୯ଟି ଅନ୍ତର୍ଜାତୀୟ ସ୍ତରର ପଦକ ପାଇଛନ୍ତି ଜୟନ୍ତୀ ।
ଦେଶ ତଥା ଦେଶ ବାହାରେ ଦୌଡ ପ୍ରତିଯୋଗିତାରେ ଜୟନ୍ତୀ ଅଂଶ ଗ୍ରହଣ କରି ନିଜର ଉତ୍କର୍ଷତା ପ୍ରଦର୍ଶନ କରି ଆସିଛନ୍ତି । ଏହି ଖବର ପ୍ରଚାରିତ ହେବା ପରେ ରାଜ୍ୟର କ୍ରୀଡାପ୍ରେମୀଙ୍କ ମନରେ ଆନନ୍ଦ ଖେଳି ଯାଇଛି । ବିଗତ ଦିନରେ ପ୍ରଧାନମନ୍ତ୍ରୀ ନିକଟରୁ ଆଶୀର୍ବାଦ ପାଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ପୁରସ୍କୃତ ହୋଇଥିଲେ ।
ଜୟନ୍ତୀ 2018 ମସିହାରେ ଜାତୀୟ ପାରା-ଆଥଲେଟ ଚମ୍ପିଆନସିପ ପ୍ରଥମ ହେବା ସହ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ । ଏହା ସହ ୱାର୍ଲଡ ୟୁଥ ଚମ୍ପିଆନରେ ମଧ୍ୟପ୍ରତିଯୋଗିତାରେ 200 ମିଟର, 400 ମିଟର ଏବଂ 800 ମିଟରରେ ଦୌଡ଼ରେ ଭାଗନେଇ କୃତ୍ବୀତ ହାସଲ କରିଛନ୍ତି । କେବଳ ଏତିକି ନୁହେଁ ଅନେକ ଜାତୀୟ ଓ ଅନ୍ତ୍ରଜାତୀୟ କ୍ରୀଡାରେ ଅଂଶଗ୍ରହଣ କରି ଦେଶ ଏବଂ ରାଜ୍ୟ ପାଇଁ ଗୌରବର ଗାଥା ବହନ କରିଛନ୍ତି ଜୟନ୍ତୀ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ