ଭୁବନେଶ୍ବର: ଭୁବନେଶ୍ବର ସ୍ଥିତ 120 ବାଟାଲିୟନ ପରିସରରେ ଅନୁଷ୍ଠିତ ହୋଇଛି ଚତୁର୍ଥ ଭୁତପୁର୍ବ ଶହୀଦ ଦିବସ । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦ୍ବିତୀୟ ବିଶ୍ବଯୁଦ୍ଧର ଶହୀଦ ଯବାନଙ୍କ ପରିବାରଙ୍କୁ ସମ୍ମାନିତ କରିଛନ୍ତି ।
ଦିନେ ସ୍ବାମୀ ଦେଇଥିଲେ ଦେଶ ପାଇଁ ପ୍ରାଣ। ହେଲେ ସେମାନଙ୍କ ପତ୍ନୀଙ୍କୁ ମିଳିଛି ସମ୍ମାନ। ଦ୍ବିତୀୟ ବିଶ୍ବଯୁଦ୍ଧରେ ନିଜ ପ୍ରିୟ ପରିଜନଙ୍କୁ ହରାଇ ଦୁଃଖରେ ଥିବା ପରିବାର ବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନିତ କରି ତାଙ୍କ ଦୁଃଖକୁ କିଛି ମାତ୍ରାରେ ଲାଘବ କରିବାକୁ ଉଦ୍ୟମ କରିଛନ୍ତି । ଦ୍ବିତୀୟ ବିଶ୍ବଯୁଦ୍ଧରେ ପ୍ରାଣ ହରାଇଥିବା ସିପାହୀ କାହ୍ନୁ ଜେନା, ଇଂଜିନିୟର ଏସ ମହାନ୍ତି, ସିପାହୀ ମାୟାଧର ଷଡଙ୍ଗୀ ଓ କୈଳାସ ଚନ୍ଦ୍ର ବୋଷଙ୍କ ପତ୍ନୀଙ୍କୁ ସମ୍ମାନିତ କରିଥିଲେ ମୁଖ୍ୟମନ୍ତ୍ରୀ ।
ଏହାସହ ମୁଖ୍ୟମନ୍ତ୍ରୀ ସମସ୍ତ ବୀର ଯବାନ ଓ ସେମାନଙ୍କ ପରିବାର ବର୍ଗକୁ ପ୍ରଶଂସା କରିଛନ୍ତି । ଏହି ଅବସରରେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ସ୍ବାସ୍ଥ୍ୟସେବା ବୁଝିବା ପାଇଁ କ୍ୟାମ୍ପସ ପରିସରରେ ଏକ ସ୍ବାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା ।
ଦୀର୍ଘ ତିନି ବର୍ଷ ଧରି 14 ଜାନୁଆରୀରେ ଏହି ଦିବସ ପାଳନ ହୋଇଆସୁଥିବା ବେଳେ ଚଳିତ ବର୍ଷ ଚତୁର୍ଥ ଥର ପାଇଁ ଏହା ଅନୁଷ୍ଠିତ ହୋଇଥିଲା । ଦେଶ ମାତୃକାର ସେବାରେ ଜୀବନ ଦେଇଥିବା ବୀର ଯବାନଙ୍କ ପାଇଁ ଭୁତପୁର୍ବ ଦିବସ ପାଳନ କରାଯାଇଛି।
କେବଳ ଦେଶ ପାଇଁ ଲଢିଥିବା ବା ନିଜର ସର୍ବୋଚ୍ଚ ବଳିଦାନ ଦେଇଥିବା ସେହି ବୀର ଯବାନ ଓ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ମୁହଁରେ ଟିକେ ହସ ଫୁଟାଇବା ଓ ସେମାନଙ୍କର ଯତ୍ନ ନେବା ପାଇଁ 120 ବାଟାଲିୟନ ପକ୍ଷରୁ ଏଭଳି ପ୍ରୟାସ ଆରମ୍ଭ କରାଯାଇଥିବା କହିଛନ୍ତି କମାଣ୍ଡାଟ ଡିଡି ସ୍ବାଇଁ ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ