ଭୁବନେଶ୍ବର: ବିଭିନ୍ନ ଟ୍ରେଡ ୟୁନିଅନ ପକ୍ଷରୁ ୧୨ ଦଫା ଦାବିରେ ଭାରତ ବନ୍ଦ ଡାକରା ଦିଆଯାଇଛି । ଆଜି ରାଜଧାନୀରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଭାରତ ବନ୍ଦକୁ ସମର୍ଥନ କରି ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ସଂଘ ପକ୍ଷରୁ ନାଲକୋ ସମ୍ମୁଖରେ ଧାରଣା ଦିଆଯାଇଥିଲା।
ଆଜି(ସୋମବାର) ଓ ଆସନ୍ତାକାଲି(ମଙ୍ଗଳବାର) ଦୁଇଦିନ ଭାରତ ବନ୍ଦ ଡାକରା ଦେଇଛି ଟ୍ରେଡ୍ ୟୁନିୟନ । କେନ୍ଦ୍ର ସରକାରଙ୍କ ଜନ ବିରୋଧୀ ନୀତିକୁ ବିରୋଧ କରି ଭାରତ ବନ୍ଦ ଡାକରା ଦେଇଛି ଟ୍ରେଡ୍ ୟୁନିୟନ । ରାଷ୍ଟ୍ରାୟତ୍ତ ଉଦ୍ୟୋଗର ଘରୋଇକରଣ ବନ୍ଦ କରିବା, ଶ୍ରମ କୋଡ୍ ପ୍ରତ୍ୟାହାର, ଦରଦାମ ନିୟନ୍ତ୍ରଣ କରିବା ସହ ୧୨ ଦଫା ଦାବି ନେଇ ଏହି ବନ୍ଦ ଡାକରା ଦିଆଯାଇଛି ।
ଧର୍ମଘଟକୁ ବ୍ୟାଙ୍କ ୟୁନିୟନ ସମର୍ଥନ କରିଥିବାବେଳେ ନିର୍ମାଣ ଶ୍ରମିକ, ବିଦ୍ୟୁତ କର୍ମଚାରୀ, ଟ୍ରାନ୍ସପୋର୍ଟ କର୍ମଚାରୀ ସଂଘ ଗୁଡିକ ମଧ୍ୟ ସମର୍ଥନ ଦେଇ ଧର୍ମଘଟରେ ସାମିଲ ହୋଇଛନ୍ତି । ଏହି ଆନ୍ଦୋଳନ ସାଧାରଣ ଲୋକଙ୍କ ଆନ୍ଦୋଳନ ବୋଲି କହିଛି ସଂଘ । ଯେପର୍ଯ୍ୟନ୍ତ ସରକାରଙ୍କ ଉପରେ ଦରଦାମ ବୃଦ୍ଧିର ଚାପ ନପଡିଛି, ସେପର୍ଯ୍ୟନ୍ତ ଦରଦାମ ହ୍ରାସ ହେବନାହିଁ ବୋଲି କହିଛି ରାଷ୍ଟ୍ରୀୟ ମଜଦୁର କଂଗ୍ରେସ । ସରକାର ଲୋକଙ୍କ ସ୍ୱାର୍ଥକୁ ଦେଖି ଦରଦାମ ହ୍ରାସ ସହ ଶ୍ରମିକ ମାରଣାନୀତିକୁ ବନ୍ଦ କରି ଦାବି ହୋଇଛି । ଅନ୍ୟଥା ଏହି ବିକ୍ଷୋଭ ବା ଧର୍ମଘଟ ଜାରି ରହିବ ବୋଲି କହିଛି ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ସଂଘ ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ