ଭୁବନେଶ୍ବର: ରାସ୍ତା ଉପରେ ମାଣ ବସାଇବା ସହିତ ମାଆ ଲକ୍ଷ୍ମୀଙ୍କ ପୂଜା କରି ଲକ୍ଷ୍ମୀପୁରାଣ ପଢୁଛନ୍ତି ମହିଳା। ଯାହାକି ଘର ଭିତରେ ନୈଷ୍ଠିକ ଉପାୟରେ କରିବା କଥା ତାହାକୁ ରାଜଧାନୀର ରାଜରାସ୍ତାରେ ପାଳନ କରାଯାଉଥିବା ଦେଖିବାକୁ ମିଳିଛି। ତେବେ ଏପରି ଲକ୍ଷ୍ମୀଙ୍କ ପୂଜା ସେମାନେ ଖୁସିରେ ନୁହେଁ ବରଂ ରାଜ୍ୟସରକାରଙ୍କ ତାଙ୍କ ପ୍ରତି ଅବହେଳା ପ୍ରତିବାଦରେ କରୁଥିବା କହିଛନ୍ତି ସେହି ମହିଳାମାନେ।
ସେମାନଙ୍କ ଅଭିଯୋଗ ଅନୁସାରେ 2006 ମସିହା ଠାରୁ ଏଏନଏମ ନର୍ସ ହିସାବରେ ଟ୍ରେନିଂ ପ୍ରାପ୍ତ ହୋଇଥିବା ଏପର୍ଯ୍ୟନ୍ତ 17 ହଜାର ରୁ ଊର୍ଦ୍ଧ୍ବ ନର୍ସ ଅଛନ୍ତି। କିନ୍ତୁ ସରକାର ସେମାନଙ୍କୁ ନିଯୁକ୍ତି ନ ଦେଇ ବିଭିନ୍ନ ସମୟରେ ଆଲୋଚନାକୁ ଡକାଇ ଭଣ୍ଡେଇ ଚାଲିଛନ୍ତି। ତେଣୁ ଏହି ମହିଳା ଓ ଭଉଣୀମାନେ ପଇସା ଖର୍ଚ୍ଚ କରି ଟ୍ରେନିଂ ନେଇ ବି ନିଯୁକ୍ତି ପାଇବାରୁ ବଞ୍ଚିତ ହେବା ସହ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା କହିଛନ୍ତି।
ଏପରିକି ମୁଖ୍ୟମନ୍ତ୍ରୀ 5T ଆଉ ମହିଳା ଶସକ୍ତିକରଣ ନାମରେ ଅନେକ ପୁରସ୍କାର ପାଉଥିବାବେଳେ ଏମାନେ ବାସ୍ତବରେ ବହୁତ ଅବହେଳିତ ହେଉଥିବା କହିଛନ୍ତି।ତେଣୁ ସରକାର ଏମାନଙ୍କ ଦାବି ପୂରଣ କରି ସେମାନଙ୍କୁ ନିଯୁକ୍ତି ଦେବାକୁ ଦାବି କରିଛନ୍ତି। ନଚେତ ସେମାନେ ସମୂହ ଆତ୍ମହତ୍ୟା କରିବେ ବୋଲି କହିଛନ୍ତି।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ