ଭୁବନଶ୍ବର: ହଜିଗଲା ମାନବିକତା । ସୀମା ଟପିଲା ନିଷ୍ଠୁରତା। ଘରେ ବିଲେଇ ଛୁଆ ପଶିଯିବାରୁ ନିଜର କ୍ରୁରତା ଦେଖାଇଲା ମଣିଷ। ଶେଷର ବିଲେଇ ଛୁଆଟିକୁ କୁକୁରଙ୍କ ମୁହଁରେ ଦେଇଦେଲେ ବ୍ୟକ୍ତି ଜଣଙ୍କ । ଏଭଳି ଅମାନୁଷିକ ଦୃଶ୍ୟ ଦେଖିବାକୁ ମିଳିଛି ଇନଫୋସିଟି ଥାନା ପ୍ରଶାନ୍ତି ବିହାର ଅଞ୍ଚଳରେ ।
![ବିଲେଇ ଛୁଆକୁ ଦେଲା କୁକୁର ମୁହଁରେ](https://etvbharatimages.akamaized.net/etvbharat/prod-images/od-bbs-01-animal-cruelity-fir-avo-7203832_16052021144950_1605f_1621156790_128.jpg)
ଏଭଳି କ୍ରୁର କାଣ୍ଡ ଘଟାଇଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ଏମ୍ ବେହେରା । ସୂଚନା ଅନୁଯାୟୀ, ରବିବାର ବିଲେଇ ଛୁଆଟି ବାରମ୍ବାର ଏମ୍ ବେହେରାଙ୍କ ଘରେ ପଶିବାକୁ ଚେଷ୍ଟା କରୁଥିଲା । ଏଥିରେ ରାଗିଯାଇ ସେ ବିଲେଇ ଛୁଆଟିକୁ ରାସ୍ତାକୁ ଫୋଫାଡି ଦେଇଥିଲେ । କୁକୁରମାନେ ଆସୁଥିବା ଦେଖି ମଧ୍ୟ ସେ ଅତି ନୃଶଂସ ଭାବେ ଛୁଆ ବିଲେଇଟିକୁ କୁକୁର ମୁହଁରେ ଦେଇଥିଲେ ।
ବିଲେଇ ଛୁଆଟିକୁ କୁକୁରମାନେ ଝୁଣି ଝୁଣି ଖାଉଥିବା ଦେଖି ମଧ୍ୟ ସେ ଛୁଆଟିକୁ ବଞ୍ଚାଇନଥିଲା। ସେହି ସମୟରେ ବିଲେଇ ଛୁଆଟିର ମା ଆସି ନିଜ ଛୁଆକୁ କୁକୁରଙ୍କ କବଳରୁ ବଞ୍ଚାଇବା ପାଇଁ ବହୁତ ଚେଷ୍ଟା କରିଥିଲେ ମଧ୍ୟ ହାର ମାନିଥିଲା । ଶେଷରେ କୁକୁରମାନେ ବିଲେଇ ଛୁଆଟିକୁ ଝୁଣି ଝୁଣି ଖାଇଥିଲେ ।
ଏପଟେ ଘଟଣାର ମୁକସାକ୍ଷୀ ଥିବା ଗୌରବ ଉଦଗତ ନାମକ ବ୍ୟକ୍ତି ଏମ୍ ବେହେରାଙ୍କ ନାମରେ ଥାନାରେ ଏନେଇ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏମ୍ ବେହେରାଙ୍କୁ ପଚରାଉଚରା କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ