ଭୁବନେଶ୍ବର: ପ୍ରଥମଥର ଲାଗି ବିଧାନସଭାର ବିଧିର ହେଲା ପରିବର୍ତ୍ତନ । ପ୍ରତ୍ୟେକ ଦିନ ଗୃହ କାର୍ଯ୍ୟ ସାଢେ ଚାରିଘଣ୍ଟା ବସିବ । କାଲିଠାରୁ ସମସ୍ତ ବିଧାୟକ, ମନ୍ତ୍ରୀ, ବିଧାୟକ କର୍ମଚାରୀ ଓ ବିଧାନସଭାର କର୍ମଚାରୀଙ୍କ କୋଭିଡ଼ ଟେଷ୍ଟ କରାଯିବ । ଯେଉଁମାନଙ୍କ ରିର୍ପୋଟ ନେଗେଟିଭ ଆସିବ ସେମାନଙ୍କୁ ଅଧିବେଶନରେ ବସିବାକୁ ସୁଯୋଗ ଦିଆଯିବ ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି । ନଭେମ୍ବର ୨୯ ତାରିଖରେ ବସିବାକୁ ଯାଉଥିବା ବିଧାନସଭାର ମୌସୁମୀ ଅଧିବେଶନ ଲାଗି ସର୍ବ ଦଳୀୟ ବୈଠକରେ ଏପରି ନିଷ୍ପତ୍ତି ନିଆଯାଇଛି ।
ବିଧାନସଭାର ମୌସୁମୀ ଅଧିବେସନ ପାଇଁ ପ୍ରସ୍ତୁତ ହେଲା ବ୍ଲୁପ୍ରିଣ୍ଟ । ସର୍ବଦଳୀୟ ବୈଠକରେ ବିରୋଧୀ ଏବଂ ଶାସକ ଦଳ ନେତାଙ୍କ ଉପସ୍ଥିତିରେ ପ୍ରସ୍ତୁତ ହେଲା ସ୍ୱତନ୍ତ୍ର ଭାବେ ହେବାକୁ ଥିବା ବିଧାନସଭାର ଅଧିବେସନର କାର୍ଯ୍ୟଶୈଳୀ । ନିଷ୍ପତ୍ତି ଅନୁଯାଯ଼ୀ ୨୯ ତାରିଖ ଦିନ ୧୧ଟାରୁ ଅଧିବେସନ ଆରମ୍ଭ ହେବ । ପ୍ରଥମଦିନ ପ୍ରଥମାର୍ଦ୍ଧରେ ଶୋକ ପ୍ରସ୍ତାବ ପାରିତ ହେବା ପରେ ଗୃହକୁ ପ୍ରଥମାର୍ଦ୍ଧ ପାଇଁ ମୁଲତବୀ କରାଯିବ । ସେହିଦିନ ଅପରାହ୍ନ ୩ଟାରୁ ୫ ଟା ପର୍ଯ୍ୟନ୍ତ ଗୃହ କାର୍ଯ୍ୟ କରାଯିବ । ଅନ୍ୟଦିନ ମାନଙ୍କରେ ଗୃହ କାର୍ଯ୍ୟ ଦିନ ୧୦ଟା ୩୦ରୁ ଆରମ୍ଭ ହୋଇ ୧ ଟାଏ ପର୍ଯ୍ୟନ୍ତ ଚାଲିବ । ସେହିଭଳି ଅପରାହ୍ନ ୩ ଟାରୁ ୫ ଟା ପର୍ଯ୍ୟନ୍ତ ଗୃହ କାର୍ଯ୍ୟ ଚାଲିବ ବୋଲି ବାଚସ୍ପତି ସୂଚନା ଦେଇଛନ୍ତି ।
ତେବେ ପ୍ରଶ୍ନକାଳକୁ ନେଇ ବିବାଦ ଚାଲିଥିବାବେଳେ ପ୍ରଶ୍ନକାଳ ରହିବ କି ନାହିଁ ତାହା ଅଧିବେଶନ ଦିନ ହିଁ ନିଷ୍ପତ୍ତି ନିଆଯିବ ବୋଲି ବାଚସ୍ପତି ସ୍ପଷ୍ଟ କରିଛନ୍ତି । ଆସନ୍ତାକାଲି ଅର୍ଥାତ ୨୬ ତାରିଖ ସକାଳ ୮ଟାରୁ ବିଧାନସଭା ପରିସରରେ କୋଭିଡ ପରୀକ୍ଷା ଆରମ୍ଭ ହେବ । ବିଧାନସଭାକୁ ପ୍ରବେଶ କରିବାକୁ ଥିବା କର୍ମଚାରୀଙ୍କଠାରୁ ଆରମ୍ଭ କରି ବିଧାୟକ,ମନ୍ତ୍ରୀ, ସାମ୍ବାଦିକମାନଙ୍କର କୋଭିଡ ପରୀକ୍ଷା ହେବ ବୋଲି ବାଚସ୍ପତି ସ୍ପଷ୍ଟ କରିଛନ୍ତି । ସେପଟେ କୋଭିଡ ସ୍ଥିତିରେ ଗୃହକାର୍ଯ୍ୟକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ସମସ୍ତ ପ୍ରସଙ୍ଗରେ ଚର୍ଚା ହୋଇଥିବା ସରକାରୀ ଦଳ ମୁଖ୍ୟ ସଚେତକ କହିଛନ୍ତି ।
ସେପଟେ ଗୃହରେ ୧୪୫ ଜଣ ବିଧାଯ଼କଙ୍କ ବସିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ତଳ ମହଲା ସମେତ ବାଚସ୍ପତିଙ୍କ ଗ୍ୟାଲେରୀ, ଦର୍ଶକ ଗ୍ୟାଲେରୀରେ ବିଧାୟକଙ୍କ ବସିବା ପାଇଁ ବ୍ୟବସ୍ଥା କରାଯାଇଛି । ବିଧାୟକମାନେ ବସିକି ପ୍ରଶ୍ନ ପଚାରିପାରିବେ ଓ ମନ୍ତ୍ରୀମାନେ ମଧ୍ୟ ବସିକି ଉତ୍ତର ରଖିପାରିବେ । ଯେଉଁମାନେ ଗୃହକୁ ଆସିପାରିବେନି ସେମାନେ ଆଗୁଆ ଲେଖିକି ଦେଲେ ପେପର ଘରକୁ ପଠାଯିବ । ପ୍ରଶ୍ନକାଳ ସମୟରେ କଣ ଆଲୋଚନା ହେବ ସେ କଥା ଗୃହରେ ଆଲୋଚନା କରାଯିବ ବୋଲି ବିରୋଧୀ ଦଳ ନେତା କହିଛନ୍ତି ।
ଏହି ସମୟରେ ବିଶେଷ କରି ଗୁରୁତ୍ୱପୂର୍ଣ ପ୍ରସଙ୍ଗ ରହିବ ଓ ଶୂନ୍ୟକାଳରେ ପ୍ରସଙ୍ଗ ଚାଲୁ ରହିବ ବୋଲି ବିରୋଧୀ ଦଳ ନେତା କହିଛନ୍ତି । ରବିବାର ଦିନ ମଧ୍ୟ ବିଧାନସଭା ଅଧିବେସନ ଅନୁଷ୍ଠିତ ହେବ ବୋଲି କୁହାଯାଇଛି । ଅନ୍ୟପକ୍ଷରେ ସର୍ବଦଳୀୟ ବୈଠକକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ସରକାରୀ ନିଷ୍ପତ୍ତିକୁ ମୋହର ଲଗାଇବା ପାଇଁ ସର୍ବଦଳୀଯ଼ ବୈଠକ ଡକାଯାଇଥିଲା ବୋଲି କହିଛନ୍ତି ନରସିଂହ ମିଶ୍ର । ପ୍ରଶ୍ନକାଳ ବାତିଲ କରିବା ବେଆଇନ ଓ ଅସାମ୍ବିଧାନିକ ବୋଲି ନରସିଂହ କହିଛନ୍ତି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ