ଭୁବନେଶ୍ବର: ଆରମ୍ଭ ହୋଇଛି ଓଡ଼ିଶା କୃଷି କନ୍କ୍ଲେଭ୍ ୨୦୨୧ । ଏକ ଦିବସୀୟ ଓଡ଼ିଶା କୃଷି କନ୍କ୍ଲେଭ୍ ଲୋକସେବା ଭବନ କନଭେନସନ ହଲରେ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନ୍ଫରେସିଂ ମାଧ୍ୟମରେ ଉପସ୍ଥିତ ରହି ଓଡ଼ିଶା ସରକାର କୃଷକଙ୍କ ଆୟ ବୃଦ୍ଧିକୁ ଗୁରୁତ୍ୱ ଦେଉଛନ୍ତି ବୋଲି କହିଛନ୍ତି । ଏନେଇ ବିଭିନ୍ନ ପଦକ୍ଷେପ ମଧ୍ୟ ନେଇଛନ୍ତି ଓଡ଼ିଶା ସରକାର । ଓଡ଼ିଶା କୃଷି କନକ୍ଲେଭ-୨୦୨୧ର ଉଦଘାଟନ କରି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହ ଚାଷୀଙ୍କ ଆୟ ଦ୍ଵିଗୁଣିତ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏବେ କୃଷି ଓ ଆନୁସଙ୍ଗିକ କ୍ଷେତ୍ର ପାଇଁ ଜାତୀୟ ଓ ବିଶ୍ୱ ବଜାରକୁ ଉନ୍ମୁକ୍ତ ହୋଇଛି ।
ଚାଷୀଙ୍କ ପାଇଁ ବଜାର ସୁବିଧା କରିବା ସହ ମଧ୍ୟସ୍ଥି ବ୍ୟବସ୍ଥାକୁ ଚେକ୍ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଉପଯୁକ୍ତ ବାତାବରଣ ରହିଥିବାରୁ ଜାତୀୟ ସ୍ତରର କୃଷିଭିତ୍ତିକ କମ୍ପାନୀମାନେ ଏ ଦିଗରେ ଆଗେଇ ଆସିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ କରିଛନ୍ତି । ତେବେ କୃଷି କନ୍କ୍ଲେଭ୍ରେ ଦେଶର ପ୍ରାୟ ୫୦ଟି ନାମୀଦାମୀ ସଂସ୍ଥା ଯୋଗ ଦେଇଛନ୍ତି ।
ଏଥିପାଇଁ ୨୪ଟି କମ୍ପାନୀ ଅନଲାଇନ୍ ମାଧ୍ୟମରେ ନାମ ପଞ୍ଜୀକୃତ କରିସାରିଛନ୍ତି । ଏଥି ସହିତ ୪୧ଟି ସଂସ୍ଥା ୱେବଲିଙ୍କ ମାଧ୍ୟମରେ ଯୋଗେ ଦେଇଛନ୍ତି । ଏଥିସହ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କୃଷି ଜ୍ଞାନ ପତ୍ରିକା ଉନ୍ମୋଚନ କରାଯିବ । କାର୍ଯ୍ୟକ୍ରମରେ ୪ଟି ବିଜିନେସ୍ ସେସନ୍ ରହିବ । ଏଥିରେ କୃଷିର ବିଭିନ୍ନ ଦିଗ ଉପରେ ପୃଥକ ପୃଥକ୍ ଭାବେ ଅଧିବେଶନ ଆୟୋଜିତ ହୋଇ ଫଳପ୍ରଦ ଆଲୋଚନା କରାଯିବା ନିର୍ଦ୍ଧାରଣ କରାଯିବ ।
ଚାଷ ଓ ଚାଷୀଙ୍କ ପାଇଁ ରାଜ୍ୟ ସରକାର ଗ୍ରହଣ କରିଥିବା ଏକାଧିକ କାର୍ଯ୍ୟକ୍ରମର ସୁଫଳ ମିଳୁଛି । ତୃଣମୂଳ ସ୍ତରରେ କୃଷି କ୍ଷେତ୍ରରେ ଉତ୍ପାଦନ ବଢୁଛି । ଏବେ ରାଜ୍ୟର ଚାଷୀମାନେ ଆଧୁନିକ ଯନ୍ତ୍ରପାତି ବ୍ୟବହାର କରିବାର ସମୟ ଆସିଛି । କ୍ରମାଗତ ପ୍ରାକୃତିକ ବିପର୍ଯ୍ୟୟ ସତ୍ତ୍ୱେ ଉତ୍ପାଦନ ଯେଭଳି ପ୍ରଭାବିତ ନହେବ ସେନେଇ ସରକାର ସବୁ ପଦକ୍ଷେପ ଗ୍ରହଣ କରାଯାଉଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ