ଭୁବନେଶ୍ବର: କୋରୋନା ସଚେତନତା ନାଁରେ ଅଶ୍ଲୀଳତା । ରାଜଧାନୀ ରାସ୍ତାର କାନ୍ଥରେ ସଚେତନତା ଚିତ୍ରରେ ଅଙ୍କା ଯାଇଥିଲା ଅଶ୍ଲୀଳ ଚିତ୍ର । ଏହାକୁ ନେଇ ଖବର ପ୍ରସାରଣ ପରେ ଚିତ୍ର ହଟାଇବାକୁ ବିଏମସି କମିଶନର ନିର୍ଦ୍ଦେଶ ଦେଇଥିବା ବେଳେ ତାହା ଏବେ ହଟାଯାଇଥିବା ସୂଚନା ମିଳିଛି ।
କୋରୋନାକୁ ପ୍ରତିହତ କରିବା ପାଇଁ ଭୁବନେଶ୍ବରରେ ଅନେକ ସ୍ଥାନରେ ସଚେତନତା ଚିତ୍ର କରାଯାଉଛି । ଆଉ ଏହି ଚିତ୍ରଗୁଡିକ ଭୁବନେଶ୍ବର ମୁନସିପାଲଟି କମିଶନ ପକ୍ଷରୁ ରାଜଧାନୀର ବିଭିନ କାନ୍ଥରେ ଅଙ୍କାଯାଇଥିବା ବେଳେ ନୟାପଲ୍ଲୀସ୍ଥିତ ବ୍ରିଟ କଲୋନିର ପ୍ରବେଶ ପଥରେ ମଧ୍ୟ ଅଙ୍କାଯାଇଥିଲା । କିନ୍ତୁ ଏହି ସଚେତନତା ଚିତ୍ରରେ ଅନେକ ଅଶ୍ଲୀଳତା ନଜର ଆସିଥିଲା । ଚିତ୍ର ମାଧ୍ୟମରେ ସଚେତନତାକୁ ଅଶୋଭନୀୟ ଭାବେ ଚିତ୍ରିତ କରାଯାଇଥିଲା ।
ଯାହାକୁ ନେଇ ସ୍ଥାନୀୟ ଲୋକେ ବେଶ ଉଦବେଗ ପ୍ରକାଶ କରଥିଲେ । ଏହା ସମାଜ ପାଇଁ ଏକ ଅଶୋଭନୀୟ ପ୍ରଚାର ହେବା ବେଳେ ଏହା ସ୍ବାସ୍ଥ୍ୟକର୍ମୀଙ୍କୁ ଅପମାନିତ କରୁଛି ବୋଲି କହି ରାଜଧାନୀବାସୀ ଅସନ୍ତୋଷ ପ୍ରକାଶ କରିଥିଲେ । ଆଉ ଏହାର ଅଶାଳୀନତା ଚିତ୍ରଣ ପିଲାମାନଙ୍କ ଉପରେ ପଡୁଛି ବୋଲି ଅଭିଯୋଗ କରିଥିଲେ । ଯାହାକୁ ନେଇ ସ୍ଥାନୀୟ ଲୋକେ ଚିତ୍ରକୁ ହଟାଇବା ପାଇଁ ଦାବି କରିଥିଲେ ।
ଲୋକଙ୍କ ଅଭଯୋଗକୁ ନେଇ ବିଏମସି କମିଶନର ତତ୍ପରତା ଦେଖାଇଥିବା ବେଳେ ଚିତ୍ରଗୁଡିକୁ ପୁନଃ ଚିତ୍ରିତ କରିଛନ୍ତି । ଆଉ ଯେଉଁମାନେ ଏହାକୁ ଆଙ୍କିଛନ୍ତି ସେମାନଙ୍କ ଉପରେ କାର୍ଯ୍ୟନୁଷ୍ଠାନ ସହ କାହିଁକି ଏପରି ଚିତ୍ର ଅଙ୍କାଗଲା ସେନେଇ ସିଟି ଇଞ୍ଜିନିଅରଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ବୋଲି କହିଛନ୍ତି ବିଏମସି କମିଶନର ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ