ଭୁବନେଶ୍ବର: ଖୁବ ଶୀଘ୍ର ଆସିବ ମହାମାରୀ କରୋନାର ଚତୁର୍ଥ ଲହର । ଏନେଇ ଆଶଙ୍କା କଲେଣି ସ୍ବାସ୍ଥ୍ୟ ବିଶେଷଜ୍ଞ । ମହାମାରୀ ସଂକ୍ରମଣରୁ ବର୍ତ୍ତିବା ପାଇଁ ସମସ୍ତଙ୍କୁ ସତର୍କ ଓ ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ । ଯେଉଁ ମାନେ ଟିକା ଦ୍ବିତୀୟ ଡୋଜ ଏବଂ ପ୍ରିକ୍ବେସନ ଡୋଜ ନେଇନାହାନ୍ତି ତୁରନ୍ତ ନେଇଯିବା ଆବଶ୍ୟକ ବୋଲି କହିଛନ୍ତି ।
ଭାରତର ବିଭିନ୍ନ ସହରରେ ଏବେ ସଂକ୍ରମଣ ବଢିବା ଆରମ୍ଭ ହୋଇଛି। 15 ଦିନ ଭିତରେ ଆସିବ ଚତୁର୍ଥ ଲହର। ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିବା ନୂଆ ଭ୍ୟାରିଏଣ୍ଟ ସମସ୍ୟା ସୃଷ୍ଟି କରିପାରେ। ଟିକା ନେଇନଥିବା ବର୍ଗ ଏବଂ ଗୁରୁତର ରୋଗୀ ଏହି ଲହରରେ ପୁଣି ସମ୍ବେଦନଶୀଳ ବର୍ଗ ଭାବରେ ଉଭା ହୋଇପାରନ୍ତି। ଯେଉଁ ମାନେ ଟିକା ଦ୍ବିତୀୟ ଡୋଜ ଏବଂ ପ୍ରିକ୍ବେସନ ଡୋଜ ନେଇନାହାନ୍ତି ତୁରନ୍ତ ନେଇଯିବାକୁ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ।
ସ୍ବାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରଜ ମିଶ୍ର କହିଛନ୍ତି ଏହି ଭ୍ୟାରିଏଣ୍ଟ ଦ୍ରୁତ ସଂକ୍ରମଣ । ତେବେ ମୃତ୍ୟୁ ହାର ବହୁତ କମ। ଭାରତରେ ମହାରାଷ୍ଟ୍ର ଏବଂ ଦିଲ୍ଲୀରେ ଚିହ୍ନଟ ହୋଇଥିବା ଭାରିଏଣ୍ଟ ଓଡିଶାକୁ ଆସିବାର ସମ୍ଭାବନା ଅଧିକ ରହିଛି। ତେବେ ଆମ ରାଜ୍ୟର ଲୋକଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଯଥେଷ୍ଟ ପରିମାଣରେ ରହିଛି । ଏଣୁ ଭୟଭୀତ ନ ହୋଇ ସତର୍କତା ଅବଲମ୍ବନ କରିବା ଜରୁରୀ ବୋଲି କହିଛନ୍ତି ଡାକ୍ତର ନିରଜ ମିଶ୍ର।
ଅନ୍ୟପଟେ ରାଜ୍ୟରେ କରୋନା ସଂକ୍ରମଣ ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି। ରାଜ୍ୟ ସରକାରଙ୍କ କୋଭିଡ ପରିଚାଳନା ଓ ଟିକାକରଣ ଅଭିଯାନରେ ରାଜ୍ୟବାସୀଙ୍କ ସହଯୋଗ ଏହି ସଫଳତା ଆଣିଦେଇଛି। ହଟସ୍ପଟ ଭୁବନେଶ୍ବରରେ ଗତ ସପ୍ତାହରେ ଜଣେ ମଧ୍ୟ ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି। ତଥାପି କେବଳ ସମ କୋଭିଡ ହସ୍ପିଟାଲରେ 25ଟି ଶଯ୍ୟା ସଂରକ୍ଷିତ ରହିଛି। ତେବେ ସେଠାରେ ମଧ୍ୟ ଜଣେ ବି ସଂକ୍ରମିତ ଭର୍ତ୍ତି ହୋଇନାହାନ୍ତି। ଆଗକୁ କୋଭିଡ ହସ୍ପିଟାଲ ବନ୍ଦ ହେବ କି ଚାଲୁ ରହିବ ସେନେଇ ଚିନ୍ତା କରାଯାଉଛି। ଏବେବି ଟିକାକରଣ ସାଙ୍ଗକୁ ଟେଷ୍ଟିଂ ଜାରି ରହିଛି । ତେବେ ଆଗକୁ ପୁଣି 4ର୍ଥ ଲହରର ଆଶଙ୍କା ଥିବାରୁ ସମସ୍ତଙ୍କୁ ସତର୍କ ଓ ସଚେତନ ରହିବାକୁ ବିଏମସି ଓ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ