ଭୁବନେଶ୍ବର: ଆଜି ସିନା ମାନବ ପ୍ରେମୀ ଆଦିତ୍ୟ ନାହାନ୍ତି ହେଲେ ଅନେକ ସ୍ୱପ୍ନ ଛାଡି ଦେଇ ଯାଇଛନ୍ତି । ଅସହାୟ ଭୋକିଲା ଲୋକଙ୍କ ପେଟକୁ ଦାନା ଯୋଗାଉଥିବା ମଣିଷଟେ ଥିଲେ ସେ । ଅନେକ ବେସାହାରା ଲୋକଙ୍କ ଓଠରେ ହସ ଫୁଟାଇବା ସହ ଆଖିରେ ଖୁସିର ସ୍ୱପ୍ନ ଅଜାଡି ଦେଇଥିଲେ । ଏ ସମାଜରେ ଅନେକ ଲୋକ ଅଛନ୍ତି ନିଜ ବାପା ମା’ ଙ୍କ କଥା ବୁଝିନଥାନ୍ତି । କିନ୍ତୁ ମାଆର ମମତା ସ୍ନେହ ସବୁବେଳେ ତା ସନ୍ତାନ ପାଇଁ ରହିଥାଏ । ଏମିତି ଏକ ସମ୍ପର୍କକୁ ପୁଣି ପୁନର୍ଜୀବିତ କରିଦେଇ ଯାଇଛନ୍ତି ଆଦିତ୍ୟ ।
ଦୀର୍ଘ ବର୍ଷ ଧରି ମାଆ-ଝିଅର ସମ୍ପର୍କକୁ ଏକାଠି କରିଦେଇଛନ୍ତି ଆଦିତ୍ୟ । ଏକାଠି କରିବାର କାରଣ ହେଉଛି ଅଦିତ୍ୟଙ୍କ ମୃତ୍ୟୁ ଖବର । ମାଆ ପୁଣି ଥରେ ଝିଅ ପାଖକୁ ଯାଇଛନ୍ତି । ହଜିଯାଇଥିବା ମାଆକୁ ପାଇ ଝିଅ ଆଉ ନିଜର କୋହକୁ ସମ୍ଭାଳି ପାରି ନାହିଁ । ଆଦିତ୍ୟଙ୍କ ମୃତ୍ୟୁ ଖବର ପ୍ରସାରଣ ହେବା ପରେ ହଜିଯାଇଥିବା ମା’କୁ ଟିଭିରେ ମନ୍ତବ୍ୟ ଦେଉଥିବା ଦେଖିଥିଲା ଝିଅ । ଆଉ ପରେ ଚାଲିଆସିଥିଲା ହଜିଯାଇଥିବା ମାଆ ପାଖକୁ । ମାଆ କୁ ଦେଖି ଝିଅ କାନ୍ଦିବା ସହ ମା’ ଝିଅର ମିଳନ ଖୁସିର ଲୁହରେ ବୁଡିଥିଲା ।
ବୃଦ୍ଧା ଜଣଙ୍କର ଘର ଯାଜପୁରରେ । ସ୍ୱାମୀ ପୁଅ ଝିଅ ନେଇ ଏକ ଛୋଟିଆ ପରିବାର ଥିଲା। ଏହି ପରିବାରରେ ଝିଅ ବିବାହ ପରେ ଆସିଥିଲା ସମ୍ପର୍କରେ ଫାଟ । ପ୍ରତ୍ୟକ ଦିନ ମା’ ହେଉଥିଲେ ଅତ୍ୟାଚାରର ଶିକାର । ଏହି ସବୁରୁ ବଞ୍ଚିବା ପାଇଁ ଝିଅ ଘରକୁ ଯାଇଥିଲେ ଏବଂ ସେଠାରୁ କେଉଁ ଆଡକୁ ପଳାଇଥିଲେ। ଯାହା ଫଳରେ ଅନେକ ଖୋଜାଖୋଜି ହେଲା ପରେ ବି ମିଳିନଥିଲେ । ପରେ ଆଶ୍ରମରେ ନିରୁପାୟ ସାଜି ରହୁଥିଲେ ବୃଦ୍ଧା । ଶେଷରେ ଆଦିତ୍ୟଙ୍କ ମୃତ୍ୟୁ ପରେ ମିଳିଥିଲା ଝିଅକୁ ହଜିଯାଇଥିବା ମାଆ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ