ଭୁବନେଶ୍ବର: ଓଡ଼ିଶା ଗସ୍ତରେ ଆସିଛନ୍ତି ଆମ ଆଦମୀ ପାର୍ଟିର ଓଡ଼ିଶା ପ୍ରଭାରୀ ସଞ୍ଜୟ ସିଂହ । ଏହି ଅବସରରେ ସେ ରାଜଧାନୀରେ ଏକ ସାମ୍ବାଦିକ ସମ୍ମିଳନୀ କରି ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଛନ୍ତି । ଆଗାମୀ ନିର୍ବାଚନ ପାଇଁ ଆମ ଆଦମୀ ପାର୍ଟି ମଧ୍ୟ ନିଜର ପ୍ରାର୍ଥୀ ଦେବ । ଗ୍ରାମାଞ୍ଚଳରୁ ବିକାଶ ହେଲେ ହିଁ ଓଡ଼ିଶାର ବିକାଶ ହେବ ବୋଲି କହିଛନ୍ତି ସଞ୍ଜୟ ସିଂହ ।
କେବଳ ବଡ଼ବଡ଼ ବିଲ୍ଡିଂ ତିଆରି କରିଦେଲେ ରାଜ୍ୟର ବିକାଶ ସମ୍ଭବ ନୁହଁ । ଯେପର୍ଯ୍ୟନ୍ତ ଗାଁର ବିକାଶ ହୋଇନି ସେପର୍ଯ୍ୟନ୍ତ ପ୍ରକୃତ ବିକାଶ କୁହାଯିବ ନାହିଁ । ଯେପରି ଖାଦ୍ୟ ଓ ପାନୀୟ ବଞ୍ଚିବା ପାଇଁ ଅପରିହାର୍ଯ୍ୟ ସେହିପରି ବିଜୁଳି ମଧ୍ୟ ଏବେ ଜୀବନଚର୍ଯ୍ୟା ପାଇଁ ନିହାତି ଆବଶ୍ୟକ । ମାସକୁ ୨୦୦ ୟୁନିଟ ବିଜୁଳି ମାଗଣା ଦିଆଯାଉ ବୋଲି ଦାବି କରିଛନ୍ତି ଆମ ଆଦମୀ ପାର୍ଟି ଓଡ଼ିଶା ପ୍ରଭାରୀ ।
ଓଡ଼ିଶାରେ କୋଇଲାର ଅଭାବ ନାହିଁ । ହେଲେ ରାଜ୍ୟସରକାର ବର୍ଦ୍ଧିତ ବିଜୁଳି ଦର ଉପରେ ଧ୍ୟାନ ଦେଉନାହାନ୍ତି । ଅନ୍ୟ ରାଜ୍ୟକୁ ବିଜୁଳି ବିକ୍ରି କରୁଛନ୍ତି । ସେହିପରି ବନ୍ଦ ହୋଇଥିବା ୧୪ ହଜାର ସ୍କୁଲକୁ ଯଥାଶୀଘ୍ର ଖୋଲିବାକୁ ଦାବି ଉଠିଛି । ସ୍କୁଲର ବ୍ୟବସ୍ଥାରେ ସୁଧାର ଆସିବା ନିତାନ୍ତ ଆବଶ୍ୟକ । ସରକାରୀ ସ୍କୁଲରେ ଭଲ ବ୍ୟବସ୍ଥା କଲେ ନିଶ୍ଚିନ୍ତ ପିଲା ଆସି ପଢ଼ିବେ । ବେସରକାରୀ ବିଦ୍ୟାଳୟ ଅପେକ୍ଷା କିପରି ଅଧିକରୁ ଅଧିକ ପିଲା ଆସି ସରକାରୀ ସ୍କୁଲରେ ପଢ଼ିବେ ସେଥିପ୍ରତି ଚିନ୍ତା କରିବା ଆବଶ୍ୟକ ।
ବିଜେଡିର ୨୩ ବର୍ଷ ଶାସନ ପରେ ମଧ୍ୟ ଓଡ଼ିଶାରେ ବେକାରୀ ସମସ୍ୟା କମିବାର ନାଁ ଧରୁନି । ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି ଲୋକେ । ସାମ୍ବାଦିକ ସମ୍ମିଳନୀରେ ବିଜେଡି ଶାସନକୁ ଟାର୍ଗେଟ କରିବା ସହ ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗ ମଧ୍ୟ ଉଠାଇଛି ଆମ ଆଦମୀ ପାର୍ଟି । ଏହି ମାମଲାରେ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ନିଜ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେବା ଆବଶ୍ୟକ ବୋଲି ସଞ୍ଜୟ ସିଂହ କହିଛନ୍ତି ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ