ଭୁବନେଶ୍ବର: ବିଶ୍ବ ପରିବେଶ ଦିବସ ଅବସରରେ ଭୁବନେଶ୍ବରସ୍ଥିତ ଏଆଇପିଏଚ୍ ବିଶ୍ବବିଦ୍ୟାଳୟ(AIPH University) ପକ୍ଷରୁ ଏକ ‘ୱାକାଥନ୍’ ଆୟୋଜିତ ହୋଇଥିଲା । ଏହି ଅବସରରେ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅଧ୍ୟାପକମାନେ ହାତରେ ବ୍ୟାନର ଏବଂ ପ୍ଲାକାର୍ଡ ଧରି ରାଜରାସ୍ତାରେ ଜନସାଧାରଣଙ୍କୁ ପରିବେଶ ଓ ପୃଥିବୀର ସୁରକ୍ଷା ସମ୍ପର୍କରେ ସଚେତନ କରାଇଥିଲେ । ଏହି କାର୍ଯ୍ୟକ୍ରମ ଭୁବନେଶ୍ବର ୟୁନିଟ୍-୩ ସ୍ଥିତ ଭୀମଭୋଇ ଦୃଷ୍ଟିହୀନ ଉଚ୍ଚବିଦ୍ୟାଳୟଠାରୁ ଆରମ୍ଭ ହୋଇ ମାଷ୍ଟରକ୍ୟାଣ୍ଟିନ ଛକରେ ଶେଷ ହୋଇଥିଲା ।
ଏହି ଅବସରରେ ଛାତ୍ରଛାତ୍ରୀମାନେ ବିଭିନ୍ନ ପଥପ୍ରାନ୍ତ ନାଟକ ଏବଂ ନୃତ୍ୟ ମାଧ୍ୟମରେ ବର୍ତ୍ତମାନର ପରିବେଶ ସଙ୍କଟ ଏବଂ ଏହାର ସମାଧାନ ପାଇଁ ବାର୍ତ୍ତା ଦେଇ ଜନସାଧାରଣଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସ୍କୁଲ ଅଫ୍ ପବ୍ଲିକ ହେଲଥ୍ ପକ୍ଷରୁ ଛାତ୍ରଛାତ୍ରୀମାନେ ବିଶିଷ୍ଟ ପରିବେଶବିତ୍ ପଦ୍ମଶ୍ରୀ ହିମ୍ମତ ରାମ ଭାମ୍ଭୁଙ୍କ ଜୀବନ ଉପରେ ଆଧାରିତ ‘ପରିବେଶ ବଞ୍ଚାଅ, ପୃଥିବୀ ବଞ୍ଚାଅ’ ଶୀର୍ଷକରେ ପଥପ୍ରାନ୍ତ ନାଟକ ପରିବେଷଣ କରିଥିଲେ । ସେହିପରି ଆଲାଏଡ୍ ହେଲଥ୍ ସାଇନ୍ସସେସ ବିଭାଗର ଛାତ୍ରଛାତ୍ରୀ ‘ସେଭ୍ ଅସ୍ ଟୁ ସେଭ୍ ୟୁ’ ଶୀର୍ଷକରେ ବ୍ୟାପକ ଜଙ୍ଗଲ କ୍ଷୟର କୁପ୍ରଭାବକୁ ନେଇ ପଥପ୍ରାନ୍ତ ନାଟକ ପରିବେଷଣ କରିଥିଲେ । ବାୟୋଲୋଜିକାଲ ସାଇନ୍ସସେସ ବିଭାଗର ଛାତ୍ରଛାତ୍ରୀ ‘ଆୱାର ଆର୍ଥ ଆୱାର ପ୍ରାଇଡ୍’(Our Earth, Our Pride) ଶୀର୍ଷକରେ ଏକ ମିଳିତ ନୃତ୍ୟ ମାଧ୍ୟମରେ ସ୍ଥାନୀୟ ଦର୍ଶକଙ୍କୁ ବାର୍ତ୍ତା ଦେଇଥିଲେ ।
ଏହି ଅବସରରେ AIPH ବିଶ୍ବବିଦ୍ୟାଳୟର କୂଳପତି ପଦ୍ମଶ୍ରୀ ଡକ୍ଟର ଆଦିତ୍ୟ ପ୍ରସାଦ ଦାଶ ପରିବେଶ ସୁରକ୍ଷା ଓ ସନ୍ତୁଳନକୁ ନେଇ ସଚେତନ କରିଥିଲେ । ସେ କହିଥିଲେଯ, "ପରିବେଶ ସନ୍ତୁଳନ ବିଗୁଡୁଥିବାରୁ ପୃଥିବୀର ତାପମାତ୍ରା ବଢ଼ିବା ସହିତ ଅନେକ ରୋଗ ବ୍ୟାପୁଛି । ଯାହାଦ୍ବାରା ଜନସ୍ବାସ୍ଥ୍ୟକୁ ବିଶେଷ ଭାବେ ପ୍ରଭାବିତ ହେଉଛି । ତେଣୁ ପରିବେଶର ଯତ୍ନ ନେବା ସହ ବିଭିନ୍ନ ପରିବେଶ ଅନୁକୂଳ କାର୍ଯ୍ୟକ୍ରମଗୁଡ଼ିକୁ ପ୍ରୋତ୍ସାହିତ କରିବା ଆବଶ୍ୟକ । ସେହିପରି ପରିବେଶର ସୁରକ୍ଷା ଦିଗରେ ପୃଥିବୀକୁ ଆମ ପରବର୍ତ୍ତୀ ବଂଶଧରଙ୍କ ପାଇଁ ଅନୁକୂଳ କରିବା ଆବଶ୍ୟକ । "
ଏହି କାର୍ଯ୍ୟକ୍ରମରେ ବିଶ୍ବବିଦ୍ୟାଳୟର ରେଜିଷ୍ଟ୍ରାର ଡକ୍ଟର ସାରସ୍ବତ ମିଶ୍ର, ସ୍କୁଲ ଅଫ୍ ପବ୍ଲିକ ହେଲ୍ଥର ଡିନ୍ ପ୍ରଫେସର ପ୍ରଦୀପ କୁମାର ପଣ୍ଡା, ସ୍କୁଲ ଅଫ୍ ବାୟୋଲୋଜିକାଲ ସାଇନ୍ସସେସର ଡିନ୍ ଡକ୍ଟର ନିରଞ୍ଜନ ବେହେରାଙ୍କ ସମେତ ଅନ୍ୟ ବିଭାଗର ଅଧ୍ୟାପକ ଓ ଅଧ୍ୟାପିକାମାନେ ସାମିଲ ହୋଇଥିଲେ । ପରିବେଶ ସୁରକ୍ଷାକୁ ନେଇ ଏହି ବିଶ୍ବବିଦ୍ୟାଳୟ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ।