ଭୁବନେଶ୍ବର: ହୁସିଆର ସହରବାସୀ। ଆପଣଙ୍କ ଗାଡି ନମ୍ବରକୁ ବ୍ୟବହାର କରିଥାଇ ପାରନ୍ତି ଲୁଟେରା । କାରଣ ରାଜଧାନୀରେ ଏମିତି ଏକ ଲୁଟେରାକୁ ଠାବ କରାଯାଇଛି। ଯାହାର ଲୁଟ ତରିକା ଜାଣିଲେ ଆପଣ ଅବାକ ହୋଇଯିବେ। ଏଭଳି ଏକ ଗ୍ୟାଙ୍ଗକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁରୀ ପୋଲିସ। ଖୁବଶୀଘ୍ର ସେହି ଅପରାଧୀକୁ ରିମାଣ୍ଡରେ ଆଣିପାରେ କମିଶନରେଟ ପୋଲିସ। କାରଣ ପୋଲିସ ସନ୍ଦେହ କରୁଛି ରାଜଧାନୀରେ କାର କାଚ ଭାଙ୍ଗି ଲୁଟ ଘଟଣାରେ ଏହି ଗ୍ୟାଙ୍ଗର ହାତ ରହିଛି।
ରାଜଧାନୀ ସହ ବିଭିନ୍ନ ସ୍ଥାନରେ ଲୁଟପାଟ କରୁଛନ୍ତି ଏହି ବିହାରୀ ଗ୍ୟାଙ୍ଗ। ପୋଲିସକୁ ଭୁଆଁ ବୁଲାଇବା ପାଇଁ ସାଧାରଣ ଲୋକଙ୍କ ଗାଡି ନମ୍ବର ବ୍ୟବହାର କରି ବେଧଡକ ଲୁଟପାଟ କରୁଛନ୍ତି। ଲୁଟପାଟ କାର୍ଯ୍ୟରେ ବ୍ୟବହୃତ ଗାଡି ନମ୍ବର ପ୍ଲେଟ ଆଧାରରେ ଗାଡ଼ି ମାଲିକଙ୍କୁ ଖୋଜିବା ବେଳେ ପ୍ରକୃତ ଲୁଟେରା ପୋଲିସ ହାତରୁ ଖସି ଯାଉଛି। ବିହାରର କିଛି ଦୁର୍ବୃତ୍ତ ରାଜଧାନୀର ବିଭିନ୍ନ ଅଞ୍ଚଳରେ ରହି ଏଭଳି ଢଙ୍ଗରେ ଲୁଟପାଟ କରୁଥିବା ପୋଲିସ ସଦେହ କରୁଛି।
ସେମାନଙ୍କ ଲୁଟର ତରିକା ଠିକ ପୁରୀରେ ଗିରଫ ହୋଇଥିବା ଲୁଟେରା ଗ୍ୟାଙ୍ଗ ଭଳି। ଏହି ଗ୍ୟାଙ୍ଗରେ ରାଜ୍ୟ ବାହାରର ବିହାରୀ ଲୁଟିଆ ଗ୍ୟାଙ୍ଗ୍ ସମ୍ପୃକ୍ତ ଥିବା ଜଣାପଡ଼ିଛି। ଗତ ସପ୍ତାହରେ ରାଜଧାନୀର ବିଭିନ୍ନ ଅଞ୍ଚଳରୁ ଗାଡି କାଚ ଭାଙ୍ଗି ଚୋରି କରିବା ଘଟଣା ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିଥିଲା। ଭୁବନେଶ୍ବରରୁ ଜଟଣୀ ପର୍ଯ୍ୟନ୍ତ ବୁଲି ବୁଲି କାର୍କୁ ଟାର୍ଗେଟ୍ କରିବା ସହ ଡୋର୍ କାଚ ଭାଙ୍ଗି ଚୋରି କରିଥିଲେ।
ରାଜଧାନୀର ପ୍ରାୟ କାର କାଚ ଭାଙ୍ଗି ଚେରି ଘଟଣାରେ ଅନେକ ମାମଲା ହୋଇଥିବା ଜଣାପଡିଛି। ମାର୍ଚ୍ଚ ୩ ତାରିଖରେ ଖାରବେଳ ନଗର ଥାନା ଅଧିନ ଶ୍ରୀୟା ଟକିଜ୍ ଛକରେ କାର୍ କାଚ ଭାଙ୍ଗି ଲକ୍ଷେ ୨୦ ହଜାର ଟଙ୍କା ଲୁଟ୍ ହୋଇଥିଲା। ଉକ୍ତ ଘଟଣାରେ ବିଶ୍ବନନ୍ଦିତା ମିଶ୍ରଙ୍କ ଗାଡିରୁ ଦୁର୍ବୃତ୍ତମାନେ ଟଙ୍କା ଚୋରି କରିନେଇଥିଲେ। ପରେ ମହିଳା ଜଣକ ଏନେଇ ଥାନାରେ ଅଭିଯୋଗ କରିଥିଲେ।
ଏହି ଘଟଣାର ୨୪ ଘଣ୍ଟା ନପୁରୁଣୁ ଦୁର୍ବୃତ୍ତମାନେ ମାର୍ଚ୍ଚ ୪ ତାରିଖରେ ପାତ୍ରପଡ଼ା ଛକରେ ଜେ ସିଂହଙ୍କ କାର୍ କାଚ ଭାଙ୍ଗି ଲକ୍ଷେ ଟଙ୍କା ଚୋରି କରିନେଇଥିଲେ। ପୂର୍ବାହ୍ଣ ପ୍ରାୟ ୧୧ଟା ବେଳେ ଏହି ଘଟଣା ଘଟାଇ ଥିଲେ ଦୁର୍ବୃତ୍ତ। ଏନେଇ ଜେ ସିଂହ ଖଣ୍ଡଗିରି ଥାନାରେ ଅଭିଯୋଗ କରିବା ପରେ ପୁଲିସ ଖୋଳତାଡ୍ ଆରମ୍ଭ କରିଥିଲା। ସେହିପରି ଜଟଣୀରୁ ୫୦ ହଜାର ଟଙ୍କା ଓ କ୍ୟାପିଟାଲ ଥାନା ଅଞ୍ଚଳରୁ ୭୫ ହଜାର ଟଙ୍କା ଚୋରି ଘଟଣା ସାମ୍ନାକୁ ଆସିଥିଲା। ଏପରି ଅନେକ ଘଟଣା ଜଟଣୀ, କ୍ୟାପିଟାଲ ଥାନା, ଲକ୍ଷ୍ମୀସାଗର ଓ ଏୟାର୍ଫିଲ୍ଡ ଥାନା ଅଞ୍ଚଳରେ ମଧ୍ୟ ଘଟିଥିଲା।
ସମାନ ଢଙ୍ଗରେ ପୁରୀରେ ମଧ୍ୟ ଏପରି ଲୁଟପାଟ ଘଟଣା ସାମ୍ନାକୁ ଆସିଥିଲା। ଅଭିଯୁକ୍ତ ଜଣକ ଅନ୍ୟ ଜଣେ ବ୍ୟକ୍ତିଙ୍କ ଗାଡ଼ି ନମ୍ବରକୁ ବ୍ୟବହାର କରି ଲୁଟପାଟ ଏବଂ ଚୋରି ଆଦି କାର୍ଯ୍ୟରେ ଲଗାଉଥିଲା। ପୁରୀ ପୁଲିସକୁ ସିସିଟିଭି ଫୁଟେଜ୍ରୁ ମିଳିଥିବା ତଥ୍ୟ ଆଧାରରେ ଲୁଟପାଟ ଘଟଣାରେ ବ୍ୟବହାର ହୋଇଥିବା ଗାଡି ନମ୍ବର ଆଧାରରେ ଗାଡି ମାଲିକକୁ ଖୋଜା ଖୋଜି କରି ଭୁବନେଶ୍ବରରେ ପହଞ୍ଚିଥିଲା। ଏନେଇ ଲକ୍ଷ୍ମୀସାଗର ଥାନା ଅଧିନ ଚିନ୍ତାମଣିଶ୍ବର ଅଞ୍ଚଳରୁ ଜଣେ ବ୍ୟକ୍ତିଙ୍କୁ ଘଟଣା ସମ୍ପର୍କରେ ପଚରାଉଚରା ମଧ୍ୟ କରିଥିଲା। ଗାଡି ମାଲିକ ଜଣକ ବ୍ୟବହାର କରୁଥିବା ଗାଡି ର ରଙ୍ଗ ଏବଂ ଚୋରି କାର୍ଯ୍ୟରେ ବ୍ୟବହାର ହୋଇଥିବା ଗାଡ଼ିର ରଙ୍ଗ ଭିନ୍ନ ଥିବା ଜାଣିବାକୁ ପାଇଥିଲା।
କିଛିଦିନ ପରେ ଦୁର୍ବୃତ୍ତ ଜଣକ ବ୍ୟବହାର କରୁଥିବା ଗାଡିଟି ଭୁବନେଶ୍ବରର ଏକ ଗ୍ୟାରେଜରେ କାମ ପାଇଁ ପହଞ୍ଚିଥିଲା। ଯେଉଁଠି ପ୍ରକୃତ ମାଲିକଙ୍କ ହାବୁଡ଼ରେ ପଡ଼ିଥିଲେ ଲୁଟେରା। ବ୍ୟକ୍ତି ଜଣକ ଦୁର୍ବୃତ୍ତକୁ କାବୁ କରି ନିସ୍ତୁକ ମାଡ଼ ଦେଇଥିଲେ।
ପୁରୀ ପୁଲିସକୁ ଘଟଣା ସମ୍ପର୍କରେ ଜଣାଇଥିଲେ ଜନୈକ ବ୍ୟକ୍ତି। ଗତ ୬ ତାରିଖରେ ପୁରୀ ପୁଲିସ ବିହାର କଟିହାର ଜିଲା ଅନ୍ତର୍ଗତ ନୟାତୋଲାର ବିବେକ ଯାଦବକୁ ଗିରଫ କରିଥିଲା। ଗିରଫ ଅଭିଯୁକ୍ତ ସହିତ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତମାନେ ଏବେ ଫେରାର ଥିବା ଜଣାପଡିଛି। ଉକ୍ତ ଗ୍ୟାଙ୍ଗର ସଦସ୍ୟମାନେ ବିହାରର ବୋଲି ଜଣାପଡିଛି। ଅନ୍ୟ ଜଣଙ୍କ ଗାଡ଼ି ନମ୍ବର ନେଇ ସେମାନେ ସେମାନେ ଲୁଟପାଟରେ ଗାଡ଼ି ବ୍ୟବହାର କରୁଥିଲେ। ସମ୍ପୃକ୍ତ ଅଭିଯୁକ୍ତକୁ କମିଶନରେଟ ପୋଲିସ ରିମାଣ୍ଡରେ ଆଣିବାକୁ ଯୋଜନା କରୁଛି।
ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ