ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି କୋରୋନା କାୟା । ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଲୋକେ ସୁସ୍ଥ ହୋଇ ଘରକୁ ଫେରୁଛନ୍ତି। ଅନ୍ୟପଟେ ରାଜ୍ୟରେ ରାପିଡ ଟେଷ୍ଟିଂକୁ ମଧ୍ୟ ବ୍ୟାପକ କରିବାକୁ ସରକାର ଚେଷ୍ଟା ଚଳାଇଛନ୍ତି । ତେବେ ଗତ ଦୁଇ ଦିନ ମଧ୍ୟରେ ଚିହ୍ନଟ ହୋଇଥିବା ଅଧିକାଂଶ ପଜିଟିଭି ବାହାର ରାଜ୍ୟରୁ ଫେରିଥିବା ଦେଖିବାକୁ ମିଳିଛି। ଫଳରେ ବାହାରୁ ଆସିଥିବା ସମସ୍ତ ବ୍ୟକ୍ତିଙ୍କୁ କୋରୋନା ଟେଷ୍ଟ କରିବାକୁ ଅପିଲ କରିଛନ୍ତି ରାଜ୍ୟ ସରକାର।
ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଟ୍ବିଟ କରି କୁହାଯାଇଛି ଯେ, ‘‘ରାଜ୍ୟ ତଥା ଦେଶ ବାହାରୁ ଫେରିଥିବା ବ୍ୟକ୍ତି ସଂକ୍ରମିତ ହୋଇଥାଇ ପାରନ୍ତି। କାରଣ ପାଖାପାଖି ୮୦ ପ୍ରତିଶତ ପଜିଟିଭ୍ କେସରେ କୌଣସି ଲକ୍ଷଣ ଦେଖିବାକୁ ମିଳୁନି । ତଥାପି ପରୀକ୍ଷା ପରେ ସେମାନଙ୍କର କରୋନା ପଜିଟିଭ୍ ରିପୋର୍ଟ ଆସୁଛି । କୌଣସି ଲକ୍ଷଣ ପ୍ରକାଶ ନପାଇଲେ ମଧ୍ୟ କରୋନା ପରୀକ୍ଷା କରାଇ ନିଅନ୍ତୁ ।’’
ତେବେ ରାଜ୍ୟରେ ଏବେ ସୁଦ୍ଧା 82 ଜଣ କୋରୋନାରେ ଆକ୍ରାନ୍ତ ରହିଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ 46 ଜଣ ଆକ୍ରନ୍ତ ରହିଛନ୍ତି । ସେହିପରି ଭଦ୍ରକ ଓ ବାଲେଶ୍ବରରେ 8ଜଣ ଲେଖାଏଁ ଆକ୍ରାନ୍ତ ଅଛନ୍ତି । ଯାଜପୁରେ 7, ସୁନ୍ଦରଗଡରେ 3, କେନ୍ଦ୍ରାପଡା ଓ କଳାହାଣ୍ଡିରେ 2 ଜଣ ଲେଖାଁଏ, କଟକ, ଢେଙ୍କାନାଳ ଓ ପୁରୀରେ ଜଣେ ଲେଖାଁଏ କୋରୋନା ପଜଟିଭି ଚିହ୍ନଟ ହୋଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ