ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶାର ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରିବା ପାଇଁ ବାଟ ଫିଟିଛି । ତୁଟିଛି ପିଏମ ଆବାସ ଯୋଜନା ନେଇ କେନ୍ଦ୍ର ଓ ଓଡ଼ିଶା ସରକାରଙ୍କ ବିବାଦ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଦିଲ୍ଲୀରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ । କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଗିରିରାଜ ସିଂହଙ୍କ ଅଧ୍ୟକ୍ଷତାରେ ବସିଛି ଏହି ଗୁରୁତ୍ବପୂର୍ଣ୍ଣ ବୈଠକ । ବୈଠକରେ ଉପସ୍ଥିତ ଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ । ବୈଠକ ପରେ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର କହିଛନ୍ତି, ‘‘ଓଡ଼ିଶାରେ କ୍ରିୟାନ୍ୱୟନ ହେଉଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା କିପରି ଭାବରେ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ପହଞ୍ଚିପାରିବ ସେ ଦିଗରେ ଆଲୋଚନା ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ସବୁ ଗରିବଙ୍କ ମୁଣ୍ଡ ଉପରେ ସମ୍ମାନର ସହ ପକ୍କା ଘର ପ୍ରଦାନ କରିବାର ଲକ୍ଷ୍ୟ ରଖିଛନ୍ତି । ୨୦୨୨-୨୩ ଆର୍ଥିକ ବର୍ଷରେ ଭାରତ ସରକାର ପିଏମ ଗ୍ରାମୀଣ ଓ ସହରୀ ଆବାସ ଯୋଜନା ପାଇଁ ୪୮ ହଜାର କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି । ସେଥିମଧ୍ୟରୁ ଓଡ଼ିଶାର ଭାଗ ରହିଛି ପ୍ରାୟ ୭ ହଜାର କୋଟି ଟଙ୍କା । ଏଥିପାଇଁ ସେ ପ୍ରଧାନମନ୍ତ୍ରୀ ଓ ବିଭାଗୀୟ କେନ୍ଦ୍ରମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । କହିଛନ୍ତି ପିଏମ ଆବାସ ଯୋଜନା ପୋର୍ଟାଲରେ ଯୋଗ୍ୟ ହିତାଧିକାରୀଙ୍କ ପାଇଁ ପ୍ରାୟ ୮ ଲକ୍ଷ ଘର ଯୋଡ଼ାଯିବ । ଏହା ବ୍ୟତିତ ଫନୀରେ କ୍ଷତିଗ୍ରସ୍ତ ଅଞ୍ଚଳ ପାଇଁ ଲକ୍ଷାଧିକ ଘର ପ୍ରଦାନ କରାଯିବ । ଏସବୁକୁ ମିଶାଇଲେ ଆଗାମୀ ଦିନରେ ଓଡ଼ିଶାରେ ପ୍ରାୟ ୧୦ ଲକ୍ଷ ଘର ନିର୍ମାଣ କରାଯିବାର ଯୋଜନା ରହିଛି ।’’
ସେହିପରି ଭୂମିହୀନଙ୍କୁ ପକ୍କା ଘର ଦେବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ବିଶେଷ ପ୍ରାଥମିକତା ଦେଉଛନ୍ତି । ପିଏମ ଆବାସ ଯୋଜନାରେ ଉଭୟ ଗାଁ ଓ ସହର ପାଇଁ ଅଧିକରୁ ଅଧିକ ଘର ନିର୍ମାଣ ପାଇଁ ଅର୍ଥ ମିଳିବ । ରାଜ୍ୟର ଗରିବ, ପଛୁଆ ଓ ଆଦିବାସୀ ଅଞ୍ଚଳର ଅଧିବାସୀମାନେ ବିଶେଷ ଭାବେ ଉପକୃତ ହେବେ । ୨୦୧୮ ରେ ଆବାସ ପ୍ଲସ ପୋର୍ଟାଲ ଖୋଳାଯାଇଥିବା ବେଳେ ରାଜ୍ୟ ସରକାର ଯୋଗ୍ୟ ହିତାଧିକାରୀଙ୍କ ସଠିକ ତାଲିକା ପ୍ରଦାନ କରିପାରିନଥିଲେ । ପରବର୍ତ୍ତୀ ସମୟରେ ଓଡ଼ିଶାରେ ଫନୀ ବାତ୍ୟା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ତା’ ପରେ ମଧ୍ୟ ରାଜ୍ୟ ସରକାରଙ୍କୁ ଦିଆଯାଇଥିବା ତାଲିକାରେ ତ୍ରୁଟି ଦେଖାଯିବା ସହ ଘର ନିର୍ମାଣରେ ଅନିୟମିତତା ଅଭିଯୋଗ ଆସିଥିଲା । ଭାରତ ସରକାର ମଧ୍ୟ ଏ ଦିଗରେ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଥିଲେ ।
ଆଜି ଏ ସବୁ ବିଷୟକୁ ନେଇ ବୈଠକରେ ବିସ୍ତୁତ ଆଲୋଚନା କରାଯାଇଛି । ଭାରତ ସରକାର ଟଙ୍କା ପଠାଉଥିଲେ ମଧ୍ୟ ପିଏମ ଘର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରୁନାହିଁ । ଆବାସ ପ୍ଲସ ପୋର୍ଟାଲରେ ଓଡ଼ିଶା ସରକାରଙ୍କ ବିଭାଗୀୟ ମନ୍ତ୍ରୀ ପ୍ରଦୀପ ଅମାତଙ୍କ ନିଜସ୍ୱ ଜିଲ୍ଲାରେ କୌଣସି ଗୃହ ଆବଣ୍ଟନ କରାଯାଇନାହିଁ । ପିଏମ ଆବାସ ଯୋଜନା ଅନ୍ତର୍ଗତ ନାମାଙ୍କନ ପ୍ରକ୍ରିୟା ଠାରୁ ଆରମ୍ଭ କରି ଯୋଗ୍ୟ ହିତାଧିକାରୀ ଚୟନ, ଅନ୍ୟାନ୍ୟ ଅନୁଷଙ୍ଗିକ ପ୍ରକ୍ରିୟା ତଥା ସ୍ୱଚ୍ଛ ଓ ପାରଦର୍ଶୀ ଉପାୟରେ ଏହି ଯୋଜନାର କ୍ରିୟାନ୍ୱୟନ ସହ ଅଧା ନିର୍ମାଣ ହୋଇ ପଡ଼ି ରହିଥିବା ଘରକୁ ଶୀଘ୍ର ସମ୍ପୂର୍ଣ୍ଣ କରିବା ଦିଗରେ ଅନୁଷ୍ଠିତ ବୈଠକ ଫଳପ୍ରଦ ହୋଇଛି । ବିଭାଗୀୟ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟ ସରକାରଙ୍କୁ ସ୍ୱଚ୍ଛତାର ସହ ହିତାଧିକାରୀ ଚୟନ କରିବା, ଆବାସ ପ୍ଲସ ପୋର୍ଟାଲରେ ସଠିକ ତଥ୍ୟ ପ୍ରଦାନ କରିବା, ଯୋଜନାର ତଦାରଖ ଏବଂ ଅନିୟମିତତାରେ ସମ୍ପୃକ୍ତ ଥିବା ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେବଳ ଭାରତ ସରକାରଙ୍କ ଲୋଗୋ ଲଗାଇବା ପାଇଁ ପରାମର୍ଶ ଦେଇଛନ୍ତି ।
ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ କହିଛନ୍ତି ଯେ, ରାଜ୍ୟ ସରକାର ଅନିୟମିତତା ନେଇ ଆକ୍ସନ ନେଇଛନ୍ତି । 22 ଜଣ ଅଧିକାରୀଙ୍କୁ ବହିଷ୍କାର କରାଯାଇଛି । 44 ଅଫିସର ନିଲମ୍ବନ କରାଯାଇଛି 268 ଜଣଙ୍କୁ କାରଣ ଦର୍ଶାଅ ନୋଟିସ ଜାରୀ ହୋଇଛି । 35 ଜଣ ଅଫିସରଙ୍କ ବିରୋଧରେ ଡ୍ରାଫ୍ଟ ଚାର୍ଜ ଲଗାଯାଇଛି । ରାଜ୍ୟ ସରକାର ଶୂନ୍ୟ ସହନଶୀଳ ନୀତି ଅନୁସାରେ ଏହା ହୋଇଛି । ଆଗାମୀ ଦିନରେ ଆମେ transparency ରେ କାମ କରିବୁ ବୋଲି ସେ ସୂଚନା ଦେଇଛନ୍ତି । ଗତ ୫ ତାରିଖରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆବାସ ପ୍ଲସ ଓ୍ୱିଣ୍ଡୋ ଖୋଲାଯାଇ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରିବା ପାଇଁ ଓଡ଼ିଶାକୁ ସୁଯୋଗ ଦେବାକୁ ମନ୍ତ୍ରୀ ଗିରିରାଜ ସିଂହଙ୍କୁ ଭେଟି ଅନୁରୋଧ କରିଥିଲେ ।
ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ