ଭୁବନେଶ୍ବର: ରାଜ୍ୟ ସରକାର ଶିଳ୍ପ ଭିତ୍ତିଭୂମି ବିକାଶ ପାଣ୍ଠି (IDF) ବୈଠକ ଅନୁଷ୍ଠିତ ହୋଇଛି । ଲୋକସେବା ଭବନରୁ ଡିଜିଟାଲ୍ ମୋଡରେ ଏହି ଅନ୍ତଃବିଭାଗୀୟ ସମନ୍ୱୟ କମିଟି ବୈଠକର ଅଧ୍ୟକ୍ଷତା କରିଛନ୍ତି ମୁଖ୍ୟ ଶାସନ ସଚିବ । ଏହା ସହ କମିଟି ୪ ଶିଳ୍ପାଞ୍ଚଳର ଭିତ୍ତିଭୂମି ବିକାଶ ପାଇଁ ଖର୍ଚ୍ଚ ଅନୁମୋଦନ କରିଛି । ପୁରାତନ ତଥା ନୂତନ ଶିଳ୍ପାଞ୍ଚଳକୁ ଭଲ ରାସ୍ତା, ଗୁଣାତ୍ମକ ବିଦ୍ୟୁତ୍ ଯୋଗାଣ, ପାଇପ୍ ପାନୀୟ ଜଳ ଏବଂ ଡ୍ରେନେଜ୍ ବ୍ୟବସ୍ଥା ପରି ମୌଳିକ ଭିତ୍ତିଭୂମି ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।
୪ ଶିଳ୍ପାଞ୍ଚଳର ଭିତ୍ତିଭୂମି ବିକାଶ ଲାଗି ଖର୍ଚ୍ଚ ହେବ ୫୨ କୋଟି ପ୍ରସ୍ତାବିତ ଭିତ୍ତିଭୂମି ବିକାଶ ବାବଦରେ ତଥ୍ୟ ଉପସ୍ଥାପନ କରିଛନ୍ତି ଶିଳ୍ପ ସଚିବ ହେମନ୍ତ କୁମାର ଶର୍ମା । ସଂପୃକ୍ତ ଇଷ୍ଟେଟରେ ଶିଳ୍ପ କାର୍ଯ୍ୟକଳାପକୁ ଆଗକୁ ବଢାଇବା ଏବଂ ପୁଞ୍ଜିନିବେଶକାରୀଙ୍କୁ ଆକର୍ଷିତ କରିବା ପାଇଁ ଭିତ୍ତିଭୂମି ବିକାଶ ଜରୁରୀ ରହିଛି । କାର୍ଯ୍ୟକ୍ରମରେ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ସଚିବ ବିଷ୍ଣୁପଦ ସେଠୀ, ଏମଏସଏମଇ ସଚିବ ସତ୍ୟବ୍ରତ ସାହୁ ଏବଂ ଇଡ଼କୋର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭୁପେନ୍ଦ୍ର ସିଂ ପୁନିଆ ଏବଂ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀ ବୈଠକରେ ଉପସ୍ଥିତ ଥିଲେ ।ବାଲେଶ୍ଵର ଜିଲ୍ଲାର ବିଭିନ୍ନ ଶିଳ୍ପାଞ୍ଚଳକୁ ବାହ୍ୟ ଜଳ ଯୋଗାଣ ପାଇଁ ୨୭ କୋଟି ୪୫ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି । ଭୁବନେଶ୍ୱର ଡେରାସ ସି ଫୁଡ ପାର୍କକୁ ବାରଙ୍ଗ-ପିତାପଲ୍ଲୀ ରାସ୍ତାରେ ଭାରୀ ଯାନ ଚଳାଚଳ ପାଇଁ ଚୌଡା ଆପ୍ରୋଚ ରୋଡ ନିର୍ମାଣ ପାଇଁ ୪.୪୩ କୋଟି ଟଙ୍କା ଅନୁମୋଦନ ହୋଇଛି । ସେହିପରି ବୈତରଣୀ ନଦୀରେ ଥିବା ଆଖୁଆପଦା ବ୍ୟାରେଜରୁ ଧାମନଗର ଟେକ୍ସଟାଇଲ ପାର୍କକୁ ବାହ୍ୟ ଜଳ ଯୋଗାଣ ପାଇଁ ଅର୍ଥ ଅନୁମୋଦିତ ହୋଇଛି । ଆନ୍ଧାରୁଆ ବାୟୋ-ଟେକ୍ ପାର୍କକୁ ବିଶୋଧିତ ଜଳ ପାଇପ୍ ଲାଇନ ସ୍ଥାପନ ଏବଂ ଜଳ ଯୋଗାଣ ଲାଗି ୧୧ କୋଟି ଟଙ୍କା ଅନୁମୋଦିତ ହୋଇଛି । ଚଳିତବର୍ଷ ଦୁଇଟି ପର୍ଯ୍ୟାୟରେ ପୂର୍ବରୁ ଅନୁମୋଦିତ ଭିତ୍ତିଭୂମୀ ବିକାଶ ପ୍ରକଳ୍ପର ଅଗ୍ରଗତିର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ପ୍ରଥମ ପର୍ଯ୍ୟାୟରେ ପାରାଦ୍ବୀପ ପ୍ଲାଷ୍ଟିକ୍ ପାର୍କକୁ ରାସ୍ତା ନିର୍ମାଣ ଓ ଅନ୍ୟାନ୍ୟ ପ୍ରକଳ୍ପ ଏବଂ ଖୋର୍ଦ୍ଧାର ଖୋଲାଦ୍ୱାର ଶିଳ୍ପାଞ୍ଚଳକୁ ମୁଖ୍ୟ ପ୍ରବେଶ ପଥ ଏବଂ କ୍ରସ୍ ଡ୍ରେନେଜ୍ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର ହୋଇଥିଲା । ଏହି ସମସ୍ତ ପ୍ରକଳ୍ପ ସଂପୂର୍ଣ୍ଣ ହୋଇଛି । ସେହିଭଳି, ଦ୍ୱିତୀୟ ପର୍ଯ୍ୟାୟରେ ଅନୁଗୁଳ ଆଲୁମିନିୟମ ପାର୍କର ଭିତ୍ତିଭୂମୀ ବିକାଶ ପାଇଁ ବିଭିନ୍ନ ପ୍ରକଳ୍ପ ଏବଂ ଜୟମଙ୍ଗଳ, ରାମଦାସପୁର, ଛତାବର ଏବଂ ବାମୁନି ଶିଳ୍ପାଞ୍ଚଳର ଭିତ୍ତିଭୂମୀ ପ୍ରକଳ୍ପ ରହିଛି । ଅଧିକାଂଶ ପ୍ରକଳ୍ପ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି । ପ୍ରକଳ୍ପର କାର୍ଯ୍ୟ ତ୍ୱରାନ୍ୱିତ କରିବା ସହ ତୁରନ୍ତ ଶେଷ କରି କାର୍ଯ୍ୟକ୍ଷମ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ