ଭୁବନେଶ୍ବର: ନିଶା ଓ ଲୋଭ ସାଜିଲା କାଳ । ନଷ୍ଟ ହୋଇଗଲା ଛାତ୍ର ଜୀବନ । କ୍ୟାରିୟର ଗଢିବା ପୂର୍ବରୁ ଅନ୍ଧାର ହୋଇଗଲା ଭବିଷ୍ୟତ । କୁକାର୍ଯ୍ୟ ଟାଣିନେଲା ଜେଲର ଚାରି କାନ୍ଥ ଭିତରକୁ । ଏପରି ଏକ ଘଟଣା ଘଟିଛି ସ୍ମାର୍ଟସିଟିର ଜଣେ ବିଟେକ୍ ଛାତ୍ରଙ୍କ ସହ ।
ସୂଚନା ଅନୁଯାୟୀ, ଭୁବନେଶ୍ବରରୁ ଏକ ବସ ଯୋଗେ ୩୨ଟି ଦାମୀ କମ୍ପାନୀର ମୋବାଇଲ ଫୋନ ଏକ କମ୍ପାନୀର କର୍ମଚାରୀ ସୋରକୁ ନେଉଥିଲେ । ତେବେ ସେହି ବସରେ ଥିବା ରାଜେଶ ପରିଡା ଏହାକୁ ଦେଖି ଚୋରି କରିବାର ଯୋଜନା କରିଥିଲେ । ଭଦ୍ରକ ଯାଉଥିବା ରାଜେଶ କର୍ମଚାରୀଙ୍କ ଅନ୍ୟମନସ୍କର ସୁଯୋଗ ନେଇ ମୋବାଇଲ ପେଟି ଧରି ଚମ୍ପଟ ମାରିଥିଲା ।
ଏପରି ଭାବେ ସେ ଲୁଟିଥିଲା, ଯେ ବସରେ ବସିଥିବା ଯାତ୍ରୀ ଏହାର ଟେର୍ ପାଇନଥିଲେ । ଏପରିକି ବସ ହେଲପର୍, କଣ୍ଡକ୍ଟରଙ୍କ ଆଖିରେ ଧୂଳି ଦେଇ ମୋବାଇଲ ପେଟି ସହ ବସରୁ ସେ ପଳାଇଥିଲା । ପରେ କର୍ମଚାରୀ ଜଣକ ଶହିଦନଗର ଥାନାରେ ଏନେଇ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଚୋରି ମୋବାଇଲର ଇଏମ୍ଆଇ ନମ୍ବର ଟ୍ରେଶ କରି ଉକ୍ତ ଯୁବକକୁ ଭଦ୍ରକରୁ ପୋଲିସ ଗିରଫ କରିଥିଲା ।
ଗିରଫ ପରେ ସାମନାକୁ ଆସିଥିଲା ଯୁବକର ଚାଞ୍ଚଲ୍ୟକର ତଥ୍ୟ । ରାଜେଶ ଭୁବନେଶ୍ବରର ଏକ ଘରୋଇ କଲେଜରେ ବିଟେକ୍ ଛାତ୍ର । ତାଙ୍କ ପିତା ଭଦ୍ରକ କଲେଜରେ ଜଣେ ଉଚ୍ଚ ପଦସ୍ଥ କର୍ମଚାରୀ ଅଛନ୍ତି । ଚୋରି କରିବା ଛଡା ନିଶା କାରବାରରେ ସେ ଅନେକ ସମୟରେ ସମ୍ପୃକ୍ତ ରହନ୍ତି । ରାଜେଶ ପାଖରୁ 29ଟି ଦାମୀ ମୋବାଇଲ ଜବତ ହୋଇଛି ବୋଲି ପୋଲିସ ସୂଚନା ଦେଇଛି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ