ଭୁବନେଶ୍ବର: ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ଅଧିନରେ ଥିବା କାଠ ସ' ମିଲରେ ଭିଜିଲାନ୍ସ ଡିଭିଜନ ଓ ଖୋର୍ଦ୍ଧା ଫରେଷ୍ଟ ଡିଭିଜନ ମଙ୍ଗଳବାର ଚଢାଉ କରିଛି । ଏହି ଚଢାଉ ବେଳେ ମିଲରୁ 26 ଲକ୍ଷ ଟଙ୍କା ମୂଲ୍ୟର କାଠ ଜବତ କରିଥିବା ସୂଚନା ମିଳିଛି ।
ଭୁବନେଶ୍ବର ଭିଜିଲାନ୍ସ ଡିଭିଜନ ଓ ଖୋର୍ଦ୍ଧା ଫରେଷ୍ଟ ଡିଭିଜନ ମଙ୍ଗଳବାର ହଠାତ୍ 2ଟି କାଠ ସ' ମିଲ ଉପରେ ଚଢାଉ କରିଥିଲା । ତେବେ ଏହି ଚଢାଉ ବେଳେ ବିପୁଳ ପରିମାଣର କାଠକୁ ପୋଲିସ ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ 26 ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡିଛି । କାଠ ସହିତ ମିଲରେ ବ୍ୟବହୃତ ହେଉଥିବା ଟ୍ରାକ୍ଟର ଓ ଟିମ୍ବର ମେସିନକୁ ମଧ୍ୟ ଜବତ କରାଯାଇଛି ।
ତେବେ ବେଆଇନ ଭାବେ କାଠ କାଟିବା ଅଭିଯୋଗରେ ଓଡିଶା ସ' ମିଲ ଓ ସପୋଟ ଆକ୍ଟ 1991ରେ ସମସ୍ତ ଜିନିଷକୁ ଜବତ କରାଯାଇ ଖୋର୍ଦ୍ଧା ଫରେଷ୍ଟ ଡିଭିଜନକୁ ହସ୍ତାନ୍ତର କରାଯାଇଛି। ଏହି ଘଟଣାରେ 6ଟି କେସକୁ ଆଧାର କରି ତଦନ୍ତ ଚାଲିଥିବା ବେଳେ ଟିମ୍ବରର ମାଲିକ ପୋଲିସ ଖୋଜୁଥିବା ସୂଚନା ମିଳିଛି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ