ଭୁବନେଶ୍ବର: ସ୍ବାୟତ୍ତ ଶାସନ ଦିବସ ଉପଲକ୍ଷେ ରାଜଧାନୀ ବାସିନ୍ଦାଙ୍କୁ ବିଏମସିର ସ୍ବତନ୍ତ୍ର ଗିଫ୍ଟ । ସ୍ବାୟତ୍ତ ଶାସନ ଦିବସରେ ବିଏମସି ପକ୍ଷରୁ ଲୋକାର୍ପିତ ହେବ ସ୍ବତନ୍ତ୍ର ପ୍ରକଳ୍ପ । ଏହା ପୁଣି ରାଜ୍ୟ ସରକାରଙ୍କ ପ୍ରଣୀତ ‘5T’ରେ ଆଧାରିତ । ତେବେ ରାଜ୍ୟ ସରକାରଙ୍କ ତରଫରୁ ମୋଟ୍ 221ଟି ପ୍ରକଳ୍ପ ଉଦଘାଟନ ଓ ଭିତ୍ତି ପ୍ରସ୍ତର ସ୍ଥାପନା ହେବ । ଯେଉଁଥିପାଇଁ ଖର୍ଚ୍ଚ ହେବ ପ୍ରାୟ 50 କୋଟି ।
ସ୍ମାର୍ଟସିଟିବାସୀଙ୍କୁ ହାତପାଆନ୍ତାରେ ସମସ୍ତ ସୁବିଧା ପ୍ରଦାନ ପାଇଁ ବିଏମସିର ଏହି ସ୍ବତନ୍ତ୍ର ପ୍ରକଳ୍ପ । ଭୁବନେଶ୍ବରର ସମସ୍ତ 67ଟି ୱାର୍ଡରେ ବିଏମସି ପକ୍ଷରୁ ୱାର୍ଡ କାର୍ଯ୍ୟାଳୟ ପ୍ରତିଷ୍ଠା ହେବ । ଯାହାକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ୱାର୍ଡ କାର୍ଯ୍ୟାଳୟ ଦ୍ବାରା ଲାଭବାନ ହେବେ ଲୋକେ ।
ସେହିପରି ରାଜଧାନୀର ପରିମଳ ବ୍ୟବସ୍ଥାକୁ ଆହୁରି ଉନ୍ନତ କରିବା ପାଇଁ 40ଟି ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟରର ଭିତ୍ତିପ୍ରସ୍ତର ସ୍ଥାପନା ହେବ । ଏଥିପାଇଁ ଖର୍ଚ୍ଚ ହେବ 32କୋଟି । ଏଥିସହ 13ଟି ପାର୍କ ଲୋକାର୍ପିତ ହେବା ସହ ବର୍ଷାଜଳ ପରିଚାଳନା ଏବଂ ନିଷ୍କାସନ ପାଇଁ 11ଟି ବିବିଧ ଡ୍ରେନ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ