ଭୁବନେଶ୍ବର: କମିଶନରେଟ ପୋଲିସର 13ତମ ପ୍ରତିଷ୍ଠା ଦିବସରେ ରାଜ୍ୟକୁ ଅପରାଧ ମୁକ୍ତ କରିବାକୁ ଯୋଜନା । ଏଥିପାଇଁ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି । ଟ୍ବିନ ସିଟିରେ ଅପରାଧିକ କାର୍ଯ୍ୟକଳାପ ଉପରେ ନଜର ରଖିବାକୁ ଡ୍ରୋନର ସହାୟତା ନିଆଯିବ ବୋଲି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ କହିଛନ୍ତି । ଏଥିପାଇଁ 5 କୋଟି ଟଙ୍କା ବ୍ୟୟ ବରାଦ ହୋଇଛି ।
![ସମ୍ମାନିତ ପୋଲିସ କର୍ମଚାରୀଙ୍କ ତାଲିକା](https://etvbharatimages.akamaized.net/etvbharat/prod-images/od-bbs-01-rising-day-avb-7203832_02012021184615_0201f_1609593375_568.jpg)
ଅପରାଧୀଙ୍କୁ ପୋଲିସକୁ ଖୋଜିବାକୁ ପଡିବ ନାହିଁ କି ଅପରାଧ ଘଟାଇ ଖସିଯାଇପାରିବ ନାହିଁ ଅପରାଧୀ । ଏନେଇ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି । ଟ୍ବିନ ସିଟିରେ ଏଣିକି ଅପରାଧୀଙ୍କୁ ଧରିବା ପାଇଁ କାମ କରିବ ଡ୍ରୋନ । ଆଧୁନିକ ଜ୍ଞାନ କୌଶଳରେ ଟ୍ବିନ ସିଟିର ସମସ୍ତ ସିସିଟିଭିକୁ ୟୁନିଫାୟାଡ୍ କଣ୍ଟ୍ରୋଲ ରୁମ୍ ସହ ଯୋଗାଯୋଗ କରି ଅପରେଟ କରାଯିବ । ସିସିଟିଭି ସହ ସଂଯୋଗ ରଖିଥିବା ଡ୍ରୋନ ପ୍ରତିଦିନ ଟ୍ବିନ ସିଟିରେ ଉଡିବ, ଯାହା ଅପରାଧୀଙ୍କ ଗତିବିଧି ଉପରେ ନଜର ରଖିବ । ଏଥିପାଇଁ 5 କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଏନେଇ କମିଶନରେଟ ପୋଲିସର 13ତମ ପ୍ରତିଷ୍ଠା ଦିବସରେ କମିଶନର ସୁଧାଂଶୁ ଷଡଙ୍ଗୀ ସୂଚନା ଦେଇଛନ୍ତି ।
ଏହି ଅବସରରେ ଗତବର୍ଷ ଟ୍ବିନ ସିଟିରୁ 3 କିଲୋଗ୍ରାମର ବ୍ରାଉନସୁଗାର ଜବତ ହୋଇଥିବା ସହ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଛି । ସେହପରି କଟକ ଆଇଏଫଏଲ ଲୁଟ ଭୁବନେଶ୍ବର ବ୍ଯାଙ୍କ ଡକାୟତି ଓ ଏଟିଏମ ଚୋରି ଘଟଣାରେ ମଧ୍ଯ କମିଶନରେଟ ପୋଲିସ ବିଶେଷ ସଫଳତା ପାଇଛି ।
ଟ୍ବିନ ସିଟିରେ ଗତବର୍ଷ ୪୩୮ଟି ବାଇକ, ୧୦୯୯ ଚୋରା ମୋବାଇଲ ଫୋନ, ୬୩ଟି ବନ୍ଧୁକ ଜବତ ହୋଇଛି । ଏପରିକି ଦାଦାବଟି ଆଦାୟ ଅଭିଯୋଗରେ ୧୬୦ ଜଣଙ୍କୁ ଗିରଫ କରାଯିବା ସହ ନକଲି କାରଖାନା କାରବାର ମାମଲାରେ ଏପର୍ଯ୍ୟନ୍ତ ୨୫ଟି କେସରେ ୨୧ ଜଣ ଗିରଫ ଗତବର୍ଷର ବଡ ସଫଳତା ବୋଲି କମିଶନରେଟ ପୋଲିସ କହିଛନ୍ତି । ତେବେ ପ୍ରମୋଦ ରଥ ଏସିପି କଟକ, ସଞ୍ଜୀବ ଶତପଥି ଏସିପି ଭୁବନେଶ୍ବର, ଶୁଭ ନାରାୟଣ ମୁଦୁଲି କଟକ, ଅଜୟ ଦାସ କଟକ, ଦୀପକ କୁମାର ମିଶ୍ର ଏୟାରଫିଲଡ ଆଇଆଇସି, ରବିନ୍ଦ୍ର ମେହେର ଆଇଆଇସି କଟକ, ଜ୍ଯୋସ୍ନାମୟୀ ବରାଳ, ବିଜୟ ଦାସ ଏସଆଇ ସ୍ପେଶାଲ ସ୍କାର୍ଡ, ଶୁଭେନ୍ଦୁ ସାହୁ ଏସଆଇ, ପ୍ରଭୁଦତ୍ତ ପଟ୍ଟନାୟକ ସ୍ପେଶାଲ ସ୍କ୍ବାର୍ଡ କର୍ମଚାରୀଙ୍କୁ ଭଲ ଡିଟେକ୍ସନ ଓ ଇନଭେଷ୍ଟିଗେସନ ପାଇଁ କମିଶନରେଟ ପୋଲିସର ପ୍ରତିଷ୍ଠା ଦିବସ ଅବସରରେ ସମ୍ମାନିତ କରାଯାଇଛି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ