ଭୁବନେଶ୍ବର: ରାଜ୍ୟରେ ଆସନ୍ତା 21 ତାରିଖରୁ ଏକାଦଶ ଓ 25 ରୁ ଅଷ୍ଟମ ଶ୍ରେଣୀ ଖୋଲିବା ସହ କ୍ଲାସରେ ପାଠ ପଢାହେବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିପାଇଁ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ଗ୍ରହଣ କରିବା ପାଇଁ ଜିଲ୍ଲା ଶିକ୍ଷାଧିକାରୀ ଓ ବ୍ଲକ ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦିଆସରିଛି । ଏନେଇ ପଞ୍ଚାୟତରାଜ ବିଭାଗ ସଚିବ ଏବଂ ଗଣଶିକ୍ଷା ବିଭାଗ ସଚିବ ମିଳିତ ଭାବେ ଅଷ୍ଟମ ଓ ଏକାଦଶ ଖୋଲିବା ପ୍ରସ୍ତୁତି ନେଇ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି । ପୂର୍ବରୁ ନବମ ଓ ଦଶମ ଶ୍ରେଣୀରେ କ୍ଲାସ ରୁମ ପାଠପଢା ଆରମ୍ଭ କରାଯାଇସରିଛି ।
ସ୍କୁଲ ଖୋଲିବା ପୂର୍ବରୁ ଏସ.ଏମ.ସି ଓ ସ୍କୁଲ କର୍ତ୍ତୃପକ୍ଷ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ବୈଠକ କରାଯିବ । ପଞ୍ଚାୟତରାଜ ବିଭାଗର ତୃଣମୂଳ ସଦସ୍ୟଙ୍କ ସହ ମିଶି ସ୍କୁଲର ଭିତ୍ତିଭୂମିକୁ ସଜାଡ଼ିବା ପାଇଁ ପ୍ରାୟସ ଆରମ୍ଭ କରାଯିବ । ସେହିପରି ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା କୋଭିଡ SOP କୁ କଡାକଡି ପାଳନ କରିବା, ସ୍କୁଲ ସଫେଇ ଓ ସାନିଟାଇଜ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ରହିଛି । ଡିଇଓ, ଡିପିସି ଏବଂ ବିଇଓ ନିୟମ ପାଳନ ନେଇ ତଦାରଖ କରିବା ସହ ଓସେପାକୁ ରିପୋର୍ଟ ଦେବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।
ଏପଟେ କୋରୋନା ପରିସ୍ଥିତରେ ସ୍କୁଲ ଖୋଲୁଥିବାବେଳେ ପିଲାଙ୍କର ଟୀକାକରଣ ହୋଇନାହିଁ । ତେଣୁ ଅଫଲାଇନ ପାଠପଢ଼ା ପାଇଁ ଭୟ ମଧ୍ୟ ରହିଥିବା କହିଛନ୍ତି ଛାତ୍ରଛାତ୍ରୀ । ରାଜ୍ୟ ସରକାର ଯେଉଁ କୋଭିଡ ଏସଓପି କରିଛନ୍ତି ତାହା ଯେପରି ସଠିକ ଭାବରେ ପାଳନ କରାଯିବ, ତାକୁ ଧ୍ୟାନ ଦେବାକୁ ହେବ । ଏପଟେ ଅଭିଭାବକ ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ କହିଛନ୍ତି ଯେ, 18 ମାସ ପରେ ଅଷ୍ଟମ ଓ ଏକାଦଶ ପିଲାମାନେ ସ୍କୁଲ ଯିବେ। ତେବେ କୋଭିଡ କଟକଣା ମଧ୍ୟରେ ପାଠପଢ଼ା ଯାଉ। ଦୀପାବଳି ପରେ ଯଦି କରୋନା ପରିସ୍ଥିତି ଠିକ ରହିବ ତେବେ ପ୍ରଥମରୁ ସପ୍ତମ ଶ୍ରେଣୀ ପଠାପଢ଼ା ଆରମ୍ଭ କରିବା ଦିଗରେ ସରକାର ପଦକ୍ଷେପ ଗ୍ରହଣ କରନ୍ତୁ ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ