ଭୁବନେଶ୍ବର: ମୁଢି ବିକିବା ବାହାନାରେ ଗଞ୍ଜେଇ ଚାଲାଣ ବେଳେ ଧରିନେଲା କମିଶନରେଟ୍ ପୋଲିସ । ପୂର୍ବରୁ ସୂଚନା ପାଇ ଲକ୍ଷ୍ମୀସାଗର ଥାନା ପୋଲିସ ସ୍ଥାନୀୟ ଶନିମନ୍ଦିର ପାଖରେ ଛପି ରହିଥିଲା । କିଛି ଲୋକେ ସନ୍ଦେହଜନକ ଭାବେ ବଡ ବ୍ୟାଗ୍ରେ କିଛି ଜିନିଷ ଆଣି ଆସୁଥିବା ପୋଲିସକୁ ସୂଚନା ମିଳିଥିଲା ।
ରହସ୍ୟ ଜାଣିବା ପାଇଁ ପୋଲିସ ସେଠାରେ ସେମାନଙ୍କୁ ଅଟକାଇବା ପରେ ଅସଲା କଥା ସାମ୍ନାକୁ ଆସିଥିଲା । ସେମାନଙ୍କ ଠାରୁ ୧ କ୍ବିଣ୍ଟାଲରୁ ଅଧିକ ଓଜନର ଗଞ୍ଜେଇ ଜବତ ସହ ହିମାଂଶୁ ବଳିଆର ସିଂ ଓ ପରମେଶ୍ବର ପ୍ରଧାନ ନାମଙ୍କ ଦୁଇଜଣ ବ୍ୟକ୍ତିଙ୍କୁ ଗିରଫ କରିଛି ପୋଲିସ୍ । ଉଭୟଙ୍କ ଘର କନ୍ଧମାଳ ଜିଲ୍ଲାରେ ବୋଲି ଜଣାପଡିଛି ।
ମୁଢି ବିକିବା ବାହାନା ଥିଲା ମାତ୍ର ଅସଲ ଲକ୍ଷ୍ୟ ଥିଲା ଗଞ୍ଜେଇକୁ ଠିକଣା ଯାଗାରେ ପହଞ୍ଚାଇବା । ତେବେ ଏହାପୂର୍ବରୁ ପୋଲିସ ଧରିନେବା ଫଳରେ ସବୁ ଫସର ଫାଟିଗଲା । ତେବେ ଏତେ ପରିମାଣର ଗଞ୍ଜେଇ ସହର ଭିତରକୁ ସେମାନେ କେଉଁଠାରୁ ଆଣୁଥିଲେ ଓ ଏଥିରେ ଆଉ କିଏ ସବୁ ସଂପୃକ୍ତ ଅଛନ୍ତି ପୋଲିସ ଅଧିକ ଖୋଳତାଡ୍ ଜାରି ରଖିଛି ।
ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ