ଭଦ୍ରକ: ଭାଇଚାରାର ସହର ଭଦ୍ରକ ସହର । ସହରରେ ସମସ୍ତ ପର୍ବ ପର୍ବାଣୀକୁ ଜାତି, ଧର୍ମ ନିର୍ବିଶେଷରେ ସମସ୍ତେ ମିଶି ପାଳନ କରିଥାନ୍ତି । ଏହି ପରିପ୍ରେକ୍ଷୀରେ ଆଗକୁ ପାଳନ ହେବାକୁ ଯାଉଛି ପ୍ରଫେଟ ମହମ୍ମଦଙ୍କ ଜୟନ୍ତୀ ବା ଇଦ ମିଲାଦୁନ ନବି ।
ହେଲେ ଏଥର ସମସ୍ତ ପର୍ବପର୍ବାଣୀକୁ ଫିକା ପକାଇଦେଇଛି କୋରୋନା ମହାମାରୀ । ମହମ୍ମଦଙ୍କ ଜୟନ୍ତୀ ପାଇଁ ଭଦ୍ରକ ମୁସଲିମ ଜମାତ ତରଫରୁ 60 ରୁ 70ଟି ମେଢ(ଜୁଲୁସ ଓ କାଫେଲା) ପୁରୁଣାବଜାର ଚୌଖଣ୍ଡିରୁ ବାହାରି ଲାହାପଟ୍ଟି, ନଙ୍ଘାମହଲ୍ଲ, ହଜାରିନଗର, କଚେରୀ ବଜାର, ନୂଆବଜାର, କଣ୍ଟାବଣିଆ, ମୁଲ୍ଲାସାହି, ଶଙ୍କରପୁର ଓ ହେଲାସାହି ହୋଇ ମଦିନା ମୈଦାନରେ ପହଞ୍ଚୁଥିଲା । କିନ୍ତୁ ଚଳିତ ବର୍ଷ କରୋନା ମହାମାରୀ କାରଣରୁ ସରକାରଙ୍କ ନିୟମ ଅନୁଯାୟୀ କୌଣସି ମେଢ଼ ବାହାରିବ ନାହିଁ, କି କୌଣସି ଜାଗାରେ ଧର୍ମସଭା ଅନୁଷ୍ଠିତ ହେବ ନାହିଁ । ଏଥିସହ ମୁଖ୍ୟ ରାସ୍ତାରେ ଲାଇଟ ଓ ସାଉଣ୍ଡ ଲାଗିବ ନାହିଁ ବୋଲି ଜିଲ୍ଲା ପ୍ରଶାସନ ତଥା ପୁଲିସ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏନେଇ ଜିଲ୍ଲା ଏସଡିପିଓ ସାର୍ଥକ ରାୟ ସୂଚନା ଦେଇଛନ୍ତି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ