ଭଦ୍ରକ: ସିପିଆଇଏମର ୧ଶହ ବର୍ଷ ପୂର୍ତ୍ତି ଅବସରରେ ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଆଞ୍ଚଳିକ କମିଟି ପକ୍ଷରୁ ଏକ ବିଶାଳ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସିପିଆଇଏମ ପକ୍ଷରୁ ତହସିଲ ଛକରୁ ବାହାରି ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ବିଶାଳ ଶୋଭାଯାତ୍ରା ବାହାରି ବଜାର ପରିକ୍ରମା କରିଥିଲେ ।
ତେବେ ଦଳ ପକ୍ଷରୁ ବିଭିନ୍ନ ସମସ୍ୟାକୁ ନେଇ ବାର୍ତ୍ତା ବହନ କରୁଥିବା ପ୍ଲା-କାର୍ଡ ଧରି ସ୍ଲୋଗାନ୍ ଦେଇଛନ୍ତି। ଏନେଇ ସ୍ଥାନୀୟ ମନ୍ଦୋଦୋରୀ କଲ୍ୟାଣ ମଣ୍ଡପ ନିକଟରେ ପତାକା ଉତ୍ତୋଳନ କରାଯାଇଥିଲା । ଆଉ ସେଠାରେ ଥିବା ଶହୀଦ ବେଦୀରେ ପୁଷ୍ପ ମାଲ୍ୟାର୍ପଣ କରିବା ପରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି ।
ସେପଟେ ଦଳ ପକ୍ଷରୁ କଳା କୃଷି ଆଇନ୍କୁ ପ୍ରତ୍ୟାହାର କରିବା, ଦରଦାମ ବୃଦ୍ଧି ନିୟନ୍ତ୍ରଣ କରିବା, ଶ୍ରମିକ ବିରୋଧୀ 4ଟି ଶ୍ରମ କୋଡ ଓ ବିଦ୍ୟୁତ ଘରୋଇ କରଣ ବନ୍ଦ କରିବା ଲାଗି ବକ୍ତାମାନେ ଉକ୍ତ ପ୍ରତିବାଦ ସଭାରେ ଦାବି କରିଛନ୍ତି । ତା ସହିତ କୋଭିଡ ମହାମାରୀର ମୁକାବିଲା କରିବା ଲାଗି ଆବଶ୍ୟକୀୟ ପଦକ୍ଷେପ ବହନ କରିବା, ରୋଗୀମାନଙ୍କୁ ଉପଯୁକ୍ତ ସେବା ଯୋଗାଇ ଦେବା, ଶ୍ରମିକମାନଙ୍କୁ ସର୍ବନିମ୍ନ ମଜୁରୀ ପ୍ରଦାନ କରିବା, ଶ୍ରମିକମାନଙ୍କର କାମ କରିବାର ସମୟ 8 ଘଣ୍ଟା ମଧ୍ୟରେ ସୀମିତ ରଖିବା, ଫସଲର ଉପଯୁକ୍ତ ଦର ସ୍ଥିର କରିବା ଆଦି ମଧ୍ୟ ଦାବି କରାଯାଇଛି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ