ବ୍ରହ୍ମପୁର: ଶେଷ ମୂହୁର୍ତ୍ତରେ ବାତିଲ ହୋଇଛି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ବିଜେପିର କେନ୍ଦ୍ରୀୟ ଷ୍ଟାର ପ୍ରଚାରକ ଯୋଗୀ ଆଦିତ୍ୟନାଥଙ୍କ ବ୍ରହ୍ମପୁର ଗସ୍ତ କାର୍ଯ୍ୟକ୍ରମ । ବ୍ରହ୍ମପୁର ସହର ଉପକଣ୍ଠ ତଥା ଗୋପାଳପୁର ନିର୍ବାଚନ ମଣ୍ଡଳୀର ବିବେକ ବିହାରଠାରେ ଆୟୋଜିତ ସାଧାରଣ ସଭାରେ ଯୋଗୀଙ୍କୁ ଦେଖିବା ପାଇଁ ବ୍ରହ୍ମପୁର ଲୋକସଭା କ୍ଷେତ୍ରର ବ୍ରହ୍ମପୁର, ଗୋପାଳପୁର, ଛତ୍ରପୁର, ଚିକିଟି ଓ ଦିଗପହଣ୍ଡି ଅଞ୍ଚଳର ହଜାର ହଜାର କର୍ମୀ ମଧ୍ୟାହ୍ନରୁ ଏକତ୍ରିତ ହୋଇଥିଲେ ।
ଏହି ସଭାରେ ଉପସ୍ଥିତ ସମସ୍ତ ନେତାମାନେ ଦଳୀୟ ପ୍ରାର୍ଥୀଙ୍କୁ ବିଜୟୀ କରିବା ସହ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଥିଲେ । ହେଲେ ଶେଷ ମୂହୁର୍ତ୍ତରେ ପାଗ ଖରାପ ଯୋଗୁଁ ଏୟାର ଟ୍ରାଫିକ କଣ୍ଟ୍ରୋଲ ଦ୍ବାରା ଯୋଗୀଙ୍କ ହେଲିକାପ୍ଟରକୁ ଏୟାର ଲାଇନ୍ସ କ୍ଲିୟରାନ୍ସ ମିଳିପାରି ନଥିଲା । ଫଳରେ କାର୍ଯ୍ୟକ୍ରମ ବାତିଲ ନେଇ ବ୍ରହ୍ମପୁର ଲୋକସଭା ଆସନ୍ନରୁ ପ୍ରତିଦ୍ବନ୍ଦିତା କରୁଥିବା ଦଳୀୟ ନେତା ତଥା ବିଜେପି ଦଳର ରାଜ୍ୟ ସାଧାରଣ ସଂପାଦକ ଭୃଗୁ ବକ୍ସିପାତ୍ର ଘୋଷଣା କରି ସଭାରେ ଘୋଷଣା କରିଥିଲେ ।
ତେବେ ଶେଷ ମୂହୁର୍ତ୍ତରେ କାର୍ଯ୍ୟକ୍ରମ ବାତିଲ ଯୋଗୁଁ ଆଦିତ୍ୟନାଥ ଭୃଗୁ ବକ୍ସିପାତ୍ରଙ୍କ ମୋବାଇଲକୁ ଫୋନ୍ କରି ଉପସ୍ଥିତ ଜନତାଙ୍କୁ ବାର୍ତ୍ତା ପ୍ରଦାନ କରିଥିଲେ । ଯାହା ସଭାରେ ଉପସ୍ଥିତ ଲୋକଙ୍କ ମନରେ ଦଳକୁ ନେଇ ପୁଣି ଆଶା ସଞ୍ଚାର କରିଥିଲା । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁର ବିଧାନସଭା ପ୍ରାର୍ଥୀ କାହ୍ନୁ ଚରଣ ପତି, ଗୋପାଳପୁର ପ୍ରାର୍ଥୀ ବିଭୂତି ଜେନା, ଛତ୍ରପୁର ପ୍ରାର୍ଥୀ ପ୍ରଶାନ୍ତ କର, ହିଞ୍ଜିଳି ପ୍ରାର୍ଥୀ ପିତାମ୍ବର ଆଚାର୍ଯ୍ୟଙ୍କ ସମେତ ଅନେକ ଦଳୀୟ ନେତା ଉପସ୍ଥିତ ଥିଲେ ।
ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ