ବ୍ରହ୍ମପୁର: ପାରିବାରିକ କଳହର କରୁଣ ପରିଣତି । ଦୁଇ ଝିଅଙ୍କୁ ଧରି ଟ୍ରେନ ସମ୍ମୁଖକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ଜଣେ ମହିଳା । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ବ୍ରହ୍ମପୁର ରେଳଷ୍ଟେସନ ନିକଟରେ ।ମୃତ ମହିଳା ଜଣଙ୍କ ଗଞ୍ଜାମ ଜିଲ୍ଲାର ବଡଗଡ ଥାନା ଅନ୍ତର୍ଗତ ମାଛକଟା ଗ୍ରାମର ରମା ଭଞ୍ଜ ବୋଲି ଜଣାପଡିଛି । ତେବେ ପାରିବାରିକ କଳହ ଯୋଗୁଁ ଟ୍ରେନ ସମ୍ମୁଖକୁ ଡେଇଁ ମହିଳା ଆତ୍ମହତ୍ୟା କରିଥିବା ଜଣାପଡିଛି ।
ସେ ନିଜର ୧୧ ବର୍ଷ ଓ ୮ ବର୍ଷର ଦୁଇ ଝିଅଙ୍କୁ ନେଇ ବ୍ରହ୍ମପୁର ରେଳଷ୍ଟେସନ ନିକଟରେ ପହଞ୍ଚିଥିଲେ । ସେଠାରୁ ବିଶାଖପାଟଣା ଆଡକୁ ପ୍ରାୟ ଦୁଇ ଶହ ମିଟର ଦୂରକୁ ଯାଇ ଟ୍ରେନ ଲାଇନ୍ ଉପରେ ଦୁଇ ସନ୍ତାନକୁ ଧରି ଟ୍ରେନ ଆସୁଥିବା ସମୟରେ ରେଳଧାରଣାକୁ ଡେଇଁ ପଡିଥିଲେ । ଏଥିରେ ମହିଳା ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଶିଶୁ ସାମାନ୍ୟ ଆହତ ହୋଇଛନ୍ତି ।
ଏହି ଘଟଣା ଜଣାପଡିବା ପରେ ବ୍ରହ୍ମପୁର ଜିଆର୍ପି ଥାନାରେ ଅପମୃତ୍ୟୁ ମାମଲା ନଂ -୪୭ ରୁଜୁ କରାଯାଇ ପୋଲିସ ପକ୍ଷରୁ ଏହାର ତଦନ୍ତ ଆରମ୍ଭ କରାଯାଇଛି । ସେପଟେ ଏକଜିକ୍ୟୁଟିଭଙ୍କ ଉପସ୍ଥିତିରେ ବ୍ରହ୍ମପୁର ଏମକେସିଜିରେ ଶବ ବ୍ୟବଚ୍ଛେଦ କରାଯାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ