ବ୍ରହ୍ମପୁର: ମହିଳାଙ୍କୁ ବିଭତ୍ସ ହତ୍ୟା । ଘରେ ପଶି ମହିଳାଙ୍କୁ ହତ୍ୟା କଲେ ଦୁର୍ବୃତ୍ତ । ବ୍ରହ୍ମପୁର ସହରର ସଦରଥାନା ଅନ୍ତର୍ଗତ ଅଳକାପୁରୀ ଅଞ୍ଚଳର ସପ୍ତମ ଲେନରେ ଘଟିଛି ଏହି ଜଘନ୍ୟ ହତ୍ୟାକାଣ୍ଡ । ମୃତ ମହିଳା ଜଣଙ୍କ ହେଉଛନ୍ତି ସୁରଜା ବେହେରା । ଗତକାଲି ରାତ୍ର ପ୍ରାୟ ୭ ଟାରୁ ୭.୩୦ ମଧ୍ୟରେ ଏହି ଘଟଣା ଘଟିଥିବା ଅନୁମାନ କରାଯାଉଛି । ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନାନୁଯାୟୀ, ଗତକାଲି ସନ୍ଧ୍ୟାରେ ସୁରଜା ବେହେରା ଘରେ ଥିବା ବେଳେ ତାଙ୍କ ସ୍ବାମୀ ବିଜୟ ବେହେରା ବାହାରକୁ ଯାଇଥିଲେ । ଏହି ସମୟରେ କିଛି ଦୁର୍ବୃତ୍ତ ଘରେ ପଶି ମହିଳାଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ଗତ କିଛି ଦିନ ତଳେ ମହିଳାଙ୍କ ପୁଅର ବିବାହ ହୋଇଥିବା ବେଳେ କୌଣସି ଦୁର୍ବୃତ୍ତ ଟଙ୍କା ଓ ସୁନା ଲୁଟ କରିବାକୁ ଆସି ଏପରି କରିଥିବା କୁହାଯାଉଛି ।
ତେବେ କିଏ ଓ କେଉଁ କାରଣକୁ କେନ୍ଦ୍ର କରି ମହିଳା ଜଣଙ୍କୁ ଘରେ ପଶି ହତ୍ୟା କଲା ତାହା ପୋଲିସର ତଦନ୍ତ ପରେ ସ୍ପଷ୍ଟ ହେବ । ସେପଟେ ଏହି ଘଟଣା ପରେ ସଦରଥାନା ପୋଲିସ ସାଇଣ୍ଟିଫିକ୍ ଟିମ୍ ସହୟତାରେ ତଦନ୍ତ ଚଳାଇଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ