ବ୍ରହ୍ମପୁର : ବ୍ରହ୍ମପୁର-ଗଞ୍ଜାମ ଜିଲ୍ଲାର ସୋରଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ବାଇଁଙ୍କ ଜମି କେଳେଙ୍କାରୀ ଏବଂ ବେଆଇନ ସମ୍ପତ୍ତି କାରବାରର ଏସଆଇଟି ତଦନ୍ତ ପାଇଁ ଦାବି କରି ସ୍ଥାନୀୟ ଅଞ୍ଚଳବାସୀ ଭିଜିଲାନ୍ସ ଏସ୍.ପିଙ୍କୁ ସାକ୍ଷାତ କରି ଦାବି ପତ୍ର ପ୍ରଦାନ କରିଛନ୍ତି ।
ସୋରଡା ବ୍ଳକର ବିଭିନ୍ନ ଗ୍ରାମ ପଞ୍ଚାୟତର ଆଦିବାସୀ ଓ ଦଳିତ ଚାଷୀମାନେ ଆସି ସୋରଡା ବିଧାୟକଙ୍କ ଜମି କେଳେଙ୍କାରୀ ଏବଂ ବେଆଇନ ସମ୍ପତ୍ତି କାରବାରର ଏସଆଇଟି ତଦନ୍ତ ପାଇଁ ସ୍ଥାନୀୟ ଭିଜିଲାନ୍ସ ଏସପିଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ସୋରଡା ବିଧାୟକ ନିଜର ତିନୋଟି ଅବଧି ମଧ୍ୟରେ ବାଦୁଆପଲ୍ଲୀ, ଗୋଛା ଏବଂ ଲବଣୀଶର ଠାରେ ଆଦିବାସୀ ଓ ଦଳିତମାନଙ୍କ ଜମିକୁ ବେଆଇନ ଦଖଲ କରିବା ସହ ଅନେକ ସରକାରୀ ଓ ଜଙ୍ଗଲ ଜମି ଜବରଦଖଲ କରିଛନ୍ତି ବୋଲି ଅଭିଯୋଗ କରିଥିଲେ ।
ସୁରେନ୍ଦ୍ର ମଳିକ, ଭାଗିରଥୀ ନାୟକ, ମୋହନ ନାୟକଙ୍କ ନେତୄତ୍ଵରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଏଆଇକେଏମଏସ୍ ନେତା ଭାଲଚନ୍ଦ୍ର ଷଡ଼ଙ୍ଗୀ, ରାଜ୍ୟ ସମ୍ପାଦକ ପ୍ରତାପ ନାୟକ, ସାମାଜିକ କର୍ମୀ ମଧୂସୁଦନ, ଶିବରାମ ସାହୁ, ଲକ୍ଷ୍ମୀ ନୃସିଂହ ରଥ, ଶ୍ରୀନିବାସ ରାଓ ପ୍ରମୁଖ ଯୋଗ ଦେଇ ଏହି ଘଟଣାର ତଦନ୍ତ କରିବାକୁ ଦାବି କରିଥିଲେ । ଅନ୍ୟପଟେ ଅଭିଯୋଗ ପାଇବା ପରେ ଘଟଣାର ତଦନ୍ତ କରିବେ ବୋଲି କହିଛନ୍ତି ବ୍ରହ୍ମପୁର ଭିଜିଲାନ୍ସ ଏସ୍.ପି।
ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ