ବ୍ରହ୍ମପୁର: ଆନ୍ଧ୍ରର ଏକ ମାଛ ଗାଡିରୁ ଲକ୍ଷାଧିକ ଟଙ୍କାର ମାଛ ଡକାୟତି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ଗଞ୍ଜାମ ପୋଲିସ । ରମ୍ଭା ଥାନା ଅନ୍ତର୍ଗତ ଜାତୀୟ ରାଜପଥରେ ଏକ ମାଛ ଟ୍ରକରୁ ଲକ୍ଷାଧିକ ଟଙ୍କାର ଡକାୟତି ହୋଇଥିବା ଜଣାପଡିଥିଲା। ଗୁରୁବାର ବିଳମ୍ବିତ ରାତିରେ ଆନ୍ଧ୍ରପ୍ରଦେଶର କାକିନାଡାରୁ ନଂ AP39W3737 ଏକ ଟ୍ରକରେ ମାଛ କଟକକୁ ଯାଉଥିଲା । ଟ୍ରକଟି କୋକ ପେଟ୍ରୋଲ ପମ୍ପରୁ ତେଲ ପକାଇ ମାତ୍ର ଶହେ ମିଟର ଆଗକୁ ଆସିଥିବା ବେଳେ, ଅନ୍ୟ ଏକ ଟ୍ରକ ନଂ ODO2H87O7 ରୋଡ ମଧ୍ୟ ଭାଗରେ ରଖିବାରୁ ମାଛ ଟ୍ରକଟି ଅଟକି ଯାଇଥିଲା ।
ଏହି ସମୟରେ 5 ଜଣ ଯୁବକ ଓହ୍ଲାଇ ମାଛ ଟ୍ରକକୁ ଜବରଦସ୍ତ ରାସ୍ତା ପାର୍ଶ୍ବକୁ ନେବା ପାଇଁ ଡ୍ରାଇଭରକୁ ଭୟଭୀତ କରାଇଥିଲେ। ମାଛ ବୋଝେଇ ଟ୍ରକର ଡ୍ରାଇଭର ସମେତ ଅନ୍ୟଜଣେ ସହଯୋଗୀକୁ ଜବରଦସ୍ତ ଓହ୍ଲାଇ ଦେବା ସହ ଟ୍ରକରେ ଥିବା ୮୭ଟି ମାଛ ପେଟିକୁ ଅନଲୋଡିଂ କରି ଟ୍ରକ ଯୋଗେ ସବୁ ମାଛ ଇଚ୍ଛାପୁର ଅଭିମୁଖେ ନେଇଯାଇଥିବା ଅଭିଯୋଗ ହୋଇଥିଲା । ଲୁଟ ହୋଇଥିବା ଟ୍ରକ ଡ୍ରାଇଭର ରାତି ପ୍ରାୟ 1 ଘଣ୍ଟା ସମୟରେ ରମ୍ଭା ଥାନାରେ ପହଞ୍ଚି ସମସ୍ତ ବିଷୟରେ ଅବଗତ କରାଇଥିଲେ । ଏହା ପରେ, ରମ୍ଭା ପୋଲିସ ତତକ୍ଷଣାତ ଦୁଇଟି ଟିମରେ ବିଭକ୍ତ ହୋଇ ଗୋଟିଏ ଟିମ ବାଲୁଙ୍ଗା ଅଭିମୁଖେ ଏବଂ ଅନ୍ୟଟି ରମ୍ଭା ଆଇଆଇସି କୃଷ୍ଣଚନ୍ଦ୍ର ସେଠୀଙ୍କ ନେତୃତ୍ବରେ ଇଚ୍ଛାପୁର ଯାଇଥିଲେ । ଇଚ୍ଛାପୁରର ଏକ ମାଛ ଗୋଦାମରେ ଉକ୍ତ ମାଛକୁ ଅନଲୋଡିଂ ହେଉଥିବା ସମୟରେ ପୋଲିସ 2 ଜଣଙ୍କୁ କାବୁ କରି ଗିରଫ କରିଥିଲା ।
ଗିରଫ ଅଭିଯୁକ୍ତ ହେଲେ, ରମ୍ଭା ଥାନା ଅନ୍ତର୍ଗତ ଗୌରୀଙ୍ଗ ପାଟଣାର ରଞ୍ଜିତ ବେହେରା ଓ ଖଲ୍ଲିକୋଟ ଥାନା ଅନ୍ତର୍ଗତ କେଶପୁରର ଦିଲ୍ଲୀପ ମଲ୍ଲିକ। ସେମାନେ ବ୍ୟବହାର କରିଥିବା ଟ୍ରକ ସହ ଗାଡି ଭିତରୁ 2ଟି ଖଣ୍ଡା, 5 ଫୁଟ ଲମ୍ବର 2ଟି ଲୁହାରଡକୁ ଜବତ କରାଯାଇଛି । ମାଛ ଟ୍ରକ ଡ୍ରାଇଭରଙ୍କ ଏତଲା କ୍ରମେ କେଶ ନମ୍ବର ୪୩୩/୧୮ ଏକ ଡକାୟତି ମାମଲା ରୁଜୁ ହୋଇଛି। ଏହି ଘଟଣାରେ 5ରୁ ଅଧିକ ଯୁବକ ସାମିଲ ଥିବାରୁ ଅନ୍ୟମାନଙ୍କୁ ପୋଲିସ ପକ୍ଷରୁ ଖୋଜାଖୋଜି କରାଯାଉଥିବା ଜଣାପଡିଛି।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ