ବ୍ରହ୍ମପୁର: ସହରରେ ଅନୁଷ୍ଠିତ ହେଲା ଓଡିଶା ରାଜ୍ୟ ମହିଳା ଆୟୋଗଙ୍କ ଶିବିର ଅଦାଲତ । ସ୍ଥାନୀୟ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏହା ଆୟୋଜିତ ହୋଇଥିଲା ।
ଏହି ଅଦାଲତରେ ଆୟୋଗର ସଦସ୍ୟା କୁସୁମ ରଥଙ୍କ ସମେତ ଏକ ପ୍ରତିନିଧି ଦଳ ଉପସ୍ଥିତ ରହିଥିଲେ । ଏହି ଅଦାଲତରେ ଉଭୟ ବ୍ରହ୍ମପୁର ଓ ଗଞ୍ଜାମ ପୋଲିସ ଜିଲ୍ଲାର 65ଟି ବିଭିନ୍ନ ମାମଲା ବିଚାର କରାଯିବାକୁ ରହିଥିବା ବେଳେ ସେଥିମଧ୍ୟରୁ 39ଟି ମାମଲାର ଅଭିଯୋଗକାରୀ ଉପପ୍ଥିତ ରହିଥିଲେ । ସେଥି ମଧ୍ୟରୁ ମାତ୍ର 7ଟି ମାମଲାରେ ଉଭୟ ପକ୍ଷ, 26ଟି ମାମଲାରେ ଅଭିଯୋଗକାରୀ ଏବଂ ଅନ୍ୟ 6ଟି ମାମଲାରେ ପ୍ରତିପକ୍ଷ ଉପସ୍ଥିତ ରହିଥିଲେ ।
ତେଣୁ 28ଟି ମାମଲାରେ ପୁଣି ଶୁଣାଣି ନେଇ ହାଜର ହେବାକୁ ନୋଟିସ୍ ପ୍ରଦାନ କରାଯାଇଥିଲା । ଏହାସହ 3ଟି ମାମଲାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଗୋଟିଏ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏବଂ 2ଟି ମାମଲା ପ୍ରୋଟେକ୍ସନ୍ ଅଫିସରଙ୍କୁ ତଦାରଖ କରିବାକୁ ପଠା ଯାଇଥିଲା । ଏହି ଅଦାଲତରେ ଗଞ୍ଜାମ ଜିଲ୍ଲା ବିଭିନ୍ନ ଅଞ୍ଚଳର ବହୁ ବିବାହିତ ମହିଳା ନ୍ୟାୟ ପାଇବା ପାଇଁ ଉପସ୍ଥିତ ରହିଥିଲେ । ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁରର ଉପଜିଲ୍ଲପାଳ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କ ସମେତ ପୋଲିସ ବିଭାଗର ଅଧିକାରୀ ଉପସ୍ଥିତ ରହିଥିଲେ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ