ବ୍ରହ୍ମପୁର: ବ୍ରହ୍ମପୁର-ଦିଲ୍ଲୀ ସୀମାନ୍ତରେ ଚାଲିଥିବା କିଷାନ ଆନ୍ଦୋଳନ ୧୮୦ ଦିନରେ ଅର୍ଥାତ 6 ମାସ ପୂର୍ତ୍ତି ହୋଇଥିବାବେଳେ କେନ୍ଦ୍ର ସରକାରଙ୍କୁ ବିରୋଧ କରି ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ବ୍ରହ୍ମପୁରରେ କଳା ଦିବସ ପାଳନ ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ସରକାରଙ୍କ 7 ବର୍ଷ ପୂର୍ତ୍ତି ଅବସରରେ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ୨୬ ମେ' କୁ ଦେଶବ୍ୟାପୀ କଳା ଦିବସ ପାଳନ ପାଇଁ ଆହ୍ୱାନ ଦିଆଯାଇଥିଲା । ଏହି ଅବସରରେ ସ୍ଥାନୀୟ ବ୍ରହ୍ମପୁରସ୍ଥିତ କମାପଲ୍ଲୀ ଛକ ଠାରେ କୋଭିଡ୍ ନିୟମକୁ ମାନି ଏହି କଳା ଦିବସ ପାଳନ କରାଯାଇ ପ୍ରତିବାଦ ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।
କୃଷକଙ୍କ ଏହି ସର୍ବବୃହତ ଓ ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ପ୍ରାୟ ୪୭୦ରୁ ଊର୍ଦ୍ଧ୍ୱ ଚାଷୀ ମୃତ୍ୟୁବରଣ କରି ସହୀଦ ହୋଇଥିବା ସେମାନେ ନିଜର ଜୀବନକୁ ବାଜି ଲଗାଇ ଖରା, ବର୍ଷା, ଶୀତ, କାକରରେ ବସି ରହି ଜାରି ରଖିଥିବା ଆନ୍ଦୋଳନ ପ୍ରତି କେନ୍ଦ୍ର ସରକାରଙ୍କ ମନୋଭାବକୁ ନିନ୍ଦା କରାଯାଇଛି । କୋରୋନା ମହାମାରୀର ଦ୍ଵିତୀୟ ଲହରୀରେ ଜନସାଧାରଣ ସମ୍ମୁଖୀନ ହେଉଥିବାବେଳେ ସଂକ୍ରମଣକୁ ମୁକାବିଲା କରିବାରେ ଏବଂ ଜୀବନ ଓ ଜୀବିକାକୁ ସୁରକ୍ଷା ଦେବାରେ ସରକାର ସମ୍ପୂର୍ଣ୍ଣ ବିଫଳ ବୋଲି ଏହି ଅବସରରେ ଅଭିଯୋଗ କରାଯାଇଛି ।
ଏହି ପରିପ୍ରେକ୍ଷୀରେ ନୂତନ ବିଦ୍ୟୁତ ବିଲ ୨୦୨୦କୁ ବାତିଲ କରିବା, ପେଟ୍ରୋଲ ଓ ଡିଜେଲ, ଗ୍ୟାସର ଦର ହ୍ରାସ କରିବା, ମନରେଗା ଯୋଜନାରେ ଲୋକଙ୍କୁ କାମ ଓ ଉଚିତ ମଜୁରୀ ପ୍ରଦାନ କରିବା, ଏମଏସପିକୁ ଆଇନଗତ ମାନ୍ୟତା ପ୍ରଦାନ କରିବା, ସାରର ଦର କମାଇବା ଦାବିରେ ପ୍ରତିବାଦ କରାଯାଇଥିଲା ।
କଳା କୃଷି ଆଇନ ପ୍ରତ୍ୟାହାର ନ ହେବା ଯାଏଁ ଆନ୍ଦୋଳନକୁ ଆଗାମୀ ଦିନରେ ଜୋରଦାର କରାଯିବ ବୋଲି ଚେତାବନୀ ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ଋଷିକୂଲ୍ୟା ରୟତ ମହାସଭାର ନେତା ପ୍ରଫୁଲ୍ଲ ସାମନ୍ତରା, ଅଖିଳ ଭାରତ କିଷାନ ମଜଦୁର ସଙ୍ଘର ଭାଲଚନ୍ଦ୍ର ଷଡ଼ଙ୍ଗୀ, ଓଡିଶା କୃଷକ ସଭାର ନେତା ବସନ୍ତ ନନ୍ଦ, ଗୋପାଳ ପାଣିଗ୍ରାହୀଙ୍କ ସମେତ ପ୍ରତାପ ପ୍ରଧାନ, ଲକ୍ଷ୍ମୀନୃସିଂହ ରଥ, ଶ୍ରମିକ ନେତା ଯୁଧିଷ୍ଠିର ବେହେରା, ଶିବ ପ୍ରସାଦ ମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ