ବ୍ରହ୍ମପୁର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଜନବିରୋଧୀ କାର୍ଯ୍ୟ ପାଇଁ ବିଜେଡି ଦଳରୁ ବହିଷ୍କାର କରିବା ଏବଂ ପରେ କ୍ରାଇମବ୍ରାଞ୍ଚ ଗିରଫ କରିବା ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ଏଭଳି ସ୍ଥିତିରେ ଗଞ୍ଜାମ ଜିଲ୍ଲାର ଜଣେ କଂଗ୍ରେସ ବିଧାୟକ ତଥା ଜିଲ୍ଲା କଂଗ୍ରେସ ସଭାପତି ରମେଶ ଜେନା କୁକୁଡାଖଣ୍ଡି ବ୍ଲକର ବଉଳଝୋଳି ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗିରଫ ବିଧାୟକଙ୍କ ଉପରେ ବର୍ଷିଛନ୍ତି । ମୁଖ୍ୟମନ୍ତ୍ରୀ ବହୁ ପୂର୍ବରୁ ଏହି ପଦକ୍ଷେପ ନେବାର ଥିଲା ବୋଲି ସେ ପ୍ରତିକ୍ରିୟା ରଖିଛନ୍ତି ।
2004 ମସିହାରେ ପ୍ରଦୀପଙ୍କୁ ମୁଖ୍ୟମନ୍ତ୍ରୀ ନିଜର ପ୍ରତିନିଧି କରିଥିଲେ । ହେଲେ ସେ କ୍ଷମତା ପ୍ରଭାବରେ ଗତ 16 ବର୍ଷ ଭିତରେ ଅନେକ କଳା କାରନାମା କରିଥିବା କହିଛନ୍ତି କଂଗ୍ରେସ ବିଧାୟକ ରମେଶ । ଜିଲ୍ଲାର ହିଞ୍ଜିଳି ନିର୍ବାଚନ ମଣ୍ଡଳୀରେ ଅଶାନ୍ତି ବାତାବରଣ ସୃଷ୍ଟି କରିଥିଲେ ପ୍ରଦୀପ । କ୍ଷମତାର ଅପବ୍ୟବହାର କରି ବହୁ ଦୁର୍ନୀତିରେ ଲିପ୍ତ ରହିଥିଲେ । ଏପରିକି ତାଙ୍କ ସହ କେତେକ ବିଧାୟକ ଓ ବ୍ଲକ ଅଧ୍ୟକ୍ଷ ମଧ୍ୟ ସମ୍ପୃକ୍ତ ରହିଛନ୍ତି । କୋରୋନା ସମୟରେ ଲୋକଙ୍କ ଦୁଃଖ ସୁଖରେ ସାମିଲ ହେବା ପରିବର୍ତ୍ତେ ପ୍ରଦୀପ ଅଏସରେ ଜୀବନ ବିତାଉଥିବା ଅଭିଯୋଗ କରିଛନ୍ତି ରମେଶ ।
ଆହୁରିମଧ୍ୟ, ସୋରଡା ଓ କୋର୍ଟପଟେ ଛକ ବ୍ରହ୍ମପୁରରେ ପ୍ରଦୀପ ଶତାଧିକ ଏକର ଜମି ଗଚ୍ଛିତ ରଖିଛନ୍ତି । ଏହାସହ ଗୋପାଳପୁର ନିର୍ବାଚନ ମଣ୍ଡଳୀର କରାପଲ୍ଲୀ ପଞ୍ଚାୟତର ବିକ୍ରମପୁରରେ ଜମି ଜାଲିଆତି କରିଥିବା ଏବଂ ମଦଭାଟି, ମଦ ମାଫିଆଙ୍କ ସହ ସେ ସମ୍ପୃକ୍ତ ଥିବା ମଧ୍ୟ ବିଧାୟକ ରମେଶ କହିଛନ୍ତି । ଝିଅ ବାହାଘର ପାଇଁ ଲକ୍ଷାଧିକ ଟଙ୍କା ଆଣିଛନ୍ତି ବୋଲି ପ୍ରଦୀପ ଯେଉଁ ସଫେଇ ଦେଉଛନ୍ତି, ଏସବୁର ଟିକନିକ ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ