ବ୍ରହ୍ମପୁର: ଦୀର୍ଘ ସାତ ମାସ ଧରି ନିଜର ଦାବି ପୂରଣ ପାଇଁ ବ୍ରହ୍ମପୁର ସହରରେ ଆନ୍ଦୋଳନ ଜାରି ରଖିଛି ଓଡିଶା ବିଜୁଳି କର୍ମଚାରୀ ସଂଘ । ଦକ୍ଷିଣାଞ୍ଚଳରେ ବିଦ୍ୟୁତ ବିତରଣ ଦାୟିତ୍ୱରେ ରହିଥିବା ଟାଟା ପାୱାର କର୍ତ୍ତୃପକ୍ଷ କୌଣସି ଦୃଷ୍ଟି ଦେଉନଥିବା ପ୍ରତିବାଦରେ ଶେଷରେ ନିଆରା ଢଙ୍ଗରେ ପ୍ରତିବାଦ କରିଛନ୍ତି ସଂଘର କର୍ମକର୍ତ୍ତା । ଦୀର୍ଘ ଦିନ ଧରି ସେମାନଙ୍କ ଦାବିକୁ ଗୁରୁତ୍ୱ ଦେଉନଥିବା ଯୋଗୁଁ ଆନ୍ଦୋଳନକାରୀମାନେ ମ୍ୟାନେଜମେଣ୍ଟର ଶବଦାହ କରି ପ୍ରତିବାଦ କରିଛନ୍ତି ।
ଟାଟା ପାଓ୍ବାର ମୁଖ୍ୟ କାର୍ଯ୍ୟାଳୟ ସମୁଖରେ ଏହାର କର୍ମଚାରୀମାନେ ରାମ ନାମ ସତ୍ୟ ହେ , ଟାଟା ପାୱାର ମିଥ୍ୟା ହେ ନାରା ଦେଇ ଏହି ଅସ୍ଥାୟୀ କର୍ମଚାରୀମାନେ ଟାଟା କୁଶପୁତ୍ତଳିକା ଦାହ ମଧ୍ୟ କରିଥିଲେ । ପୂର୍ବରୁ ଏହି କର୍ମଚାରୀ ମାନେ ଭିକ୍ଷା ମାଗିବା , ଜୋତା ସଫେଇ କରିବା , ଲଣ୍ଡା ହୋଇ ଶ୍ରାଦ୍ଧ କରିବା , ପରିବାରର ଅଭିଭିବାବକ ମାନେ ମୁଖ୍ୟ ଫାଟକ ସମୁଖରେ ଧାରଣାରେ ବସି ରହିବା ଭଳି ଭିନ୍ନ ଭିନ୍ନ ଉପାୟରେ ଆନ୍ଦୋଳନ କରିଥିବା ଦେଖିବାକୁ ମିଳିଥିଲା ।
ଗୋଟିଏ ପଟେ କର୍ମଚାରୀ ମାନେ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବାକୁ ଦାବି କରି ଆସୁଥିଲେ ମଧ୍ୟ ବିଭିନ୍ନ ଆଳ ଦେଖାଇ କର୍ତ୍ତୃପକ୍ଷ ଏହାକୁ ପ୍ରତ୍ୟାଖ୍ୟାନ କରି ଆସିଆସୁଥିବା ଯୋଗୁଁ କର୍ମଚାରୀ ମାନେ କ୍ରମାଗତ ଭାବରେ ନିଜ ଜିଦରେ ବସି ଆନ୍ଦୋଳନ ଜାରି ରଖିଛନ୍ତି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ , ଇଟିଭି ଭାରତ